ନ୍ୟୁଜ ଡେକ୍ସ : ଦିଲ୍ଲୀର ଲାଲକିଲ୍ଲାରୁ ଚୋରି ହେଲା ୧କୋଟିର କଳସ। ପୂଜାରୀ ବେଶରେ ଆସି ଚୋରି କରିନେଲା ଦୁର୍ବୃତ୍ତ। କୁହାଯାଉଛି ଯେ, କଳସକୁ ଉଭୟ ସୁନା ଓ ହୀରାରେ ତିଆରି କରାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଏଭଳି ବଡ଼ ଅପରାଧ ହେବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ସୂଚନା ମୁତାବକ, ଚୋର ଜଣକ ଜୈନ ପୂଜକ ବେଶରେ କାର୍ଯ୍ୟକ୍ରମକୁ ଆସିଥିଲା।
ଏହାପରେ ସୁନା କଳସ ଓ ଅନ୍ୟ ମୂଲ୍ୟବାନ ଜିନିଷ ଧରି ଚମ୍ପଟ ମାରିଛି। ଚୋରର ସବୁ କାରନାମା ସିସିଟିଭିରେ ମଧ୍ୟ କଏଦ ହୋଇଛି। ସିସିଟିଭିରୁ ପୁଲିସ୍ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ଓ ତା’କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ଚୋରି ହୋଇଥିବା ଜିନିଷଗୁଡ଼ିକ ମଧ୍ୟରେ ଗୋଟିଏ ସୁନାର ମାଠିଆ, ଗୋଟିଏ ସୁନାର ପଇଢ଼(ଓଜନ ୭୫୦ ଗ୍ରାମ), ୧୧୫ ଗ୍ରାମ ଓଜନର ଆଉ ଗୋଟିଏ ମାଠିଆ ରହିଛି। ଏହି କଳସରେ ୧୫୦ ଗ୍ରାମ ଓଜନର ହୀରା, ମାଣିକ ଓ ରତ୍ନ ଖଚିତ ମଧ୍ୟ ହୋଇଥିଲା ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି।
ଏହି ଜିନିଷଗୁଡ଼ିକୁ ଜୈନ ଧର୍ମର ନୀତିକାନ୍ତିରେ ବ୍ୟବହାର ହୋଇଥାଏ। ତେଣୁ ଏସବୁ ପବିତ୍ର ଜିନିଷ। ଜୈନ ଧର୍ମର ଧାର୍ମିକ କାର୍ଯ୍ୟକ୍ରମ ପାଇଁ ପ୍ରତିଦିନ ବ୍ୟବସାୟୀ ସୁଧୀର ଜୈନ ଏହି ମୂଲ୍ୟବାନ ଜିନିଷ ସବୁ ଧରି ଆସନ୍ତି।ରେଡ ଫୋର୍ଟ ବା ଲାଲକିଲ୍ଲା ପରିସରରେ ଥିବା ୧୫ ଅଗଷ୍ଟ ପାର୍କରେ ଆୟୋଜିତ ୧୦ ଦିନିଆ ଧାର୍ମିକ କାର୍ଯ୍ୟକ୍ରମ ‘ଦଶଲକ୍ଷଣ ମହାପର୍ବ’ ସମୟରେ ବୁଧବାର ଏପରି ଚୋରି ହୋଇଛି ।
