ନ୍ୟୁଜ ଡେକ୍ସ : ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ବୃଦ୍ଧ ଜଣକ ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ । ସଫଳ ଅସ୍ତ୍ରୋପଚାର କରି ଦାନ୍ତକାଠିକୁ ବାହାର କରିଛନ୍ତି ଡାକ୍ତର । ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରିବା ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଛି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏପରି ଏକ କଠିନ ଅପରେସନ୍ ସଫଳ ହୋଇଛି।
ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଗ୍ରାମର ୮୦ ବର୍ଷୀୟ କାମରାଜୁ ନାୟକ ବୃଦ୍ଧ ଗତ ବୁଧବାର ସକାଳେ ଦାନ୍ତ ଘଷୁଥିବା ବେଳେ ଅସାବଧାନତା ବଶତଃ ଦାନ୍ତକାଠିକୁ ଗିଳି ଦେଇଥିଲେ । ବହୁ ଚେଷ୍ଟା ସତ୍ତ୍ବେ ପେଟରୁ ଦାନ୍ତକାଠି ବାହାରିନଥିଲା । ଫଳରେ ଖାଦ୍ୟ ଖାଇବାରେ ସମସ୍ୟା ସହ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ । ପ୍ରାୟ ସପ୍ତାହେ ଯାଏଁ ଯନ୍ତ୍ରଣା ଭୋଗିବା ସହ ତରଳ ଖାଦ୍ୟ ଖାଇ ରହିଥିଲେ । ଏନେଇ ବୃଦ୍ଧ କାମରାଜୁଙ୍କ ପରିବାର ଲୋକ ବିଭିନ୍ନ ମେଡ଼ିକାଲ ବୁଲି ଶେଷରେ ଗତ ସୋମବାର ଦିନ ବ୍ରହ୍ମପୁର MKCG ମେଡିକାଲରେ ପହଞ୍ଚିଥିଲେ ।
ସେଠାରେ ENT ବିଭାଗର ଡାକ୍ତର, କାମରାଜୁଙ୍କ ଚିକିତ୍ସା କରିବା ପରେ ଖାଦ୍ୟ ନଳୀରେ ଦାନ୍ତକାଠି ରହିଥିବା ଜଣାପଡିଥିଲା । ପରେ ବିଭିନ୍ନ ପରୀକ୍ଷା କରାଯାଇଥିଲା । ବୃଦ୍ଧଙ୍କ ରକ୍ତଚାପ ଉଚ୍ଚ ରହିଥିବାରୁ ନିଶ୍ଚେତକ ଦେଇ ବିଭାଗ ପକ୍ଷରୁ ଏହାକୁ ବାହାର କରାଯିବାକୁ ସ୍ଥିର କରାଯାଇଥିଲା ।ପରିବାର ଲୋକ କାମରାଜୁଙ୍କୁ MKCG ମେଡିକାଲରେରେ ଭର୍ତ୍ତି କରାଇବା ପରେ ଦାନ୍ତକାଠିକୁ ବାହାର କରିବାକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ ।
