ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଆଜି ସାରା ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହୁଛି। ଏହି ପ୍ରକୃତିକ ବିପଦରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବଜାରରେ ଅଘଟଣ ଘଟିଛି।ସୂଚନା ଅନୁଯାୟୀ, ବାଲିକୁଦା ବସଷ୍ଟାଣ୍ଡ ନିକଟରେ ଦୁର୍ଗା ପୂଜା କମିଟି ପକ୍ଷରୁ ନିର୍ମିତ ହୋଇଥିବା ବାଉଁଶର ତୋରଣ ପ୍ରବଳ ପବନରେ ଭାଙ୍ଗିପଡ଼ିଛି।
ଦୁର୍ଭାଗ୍ୟବଶତଃ, ସେହି ଗେଟ୍ରେ ଦୁଇଟି ବାଇକ୍ ସହ ପାଞ୍ଚ ଜଣ ଲୋକ ଚାପି ପଡ଼ିଥିବା ସୂଚନା ମିଳିଛି।ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଦୁର୍ଗାପୂଜା ପାଇଁ ଲାଗିଥିବା ୩୦ ଫୁଟ୍ ଉଚ୍ଚର ବଡ଼ ଲାଇଟ୍ ଗେଟ୍ ଭାଙ୍ଗିପଡିଥିଲା ଫଳରେ ବାଇକ, ସ୍କୁଟି ମଧ୍ୟ ଭାଙ୍ଗିଯାଇଛି ।
ଏଥୁସହ ବାଲିକୁଦା ମାଛଗାଁ ରାସ୍ତା ବନ୍ଦ ରହିଛି । ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବାରେ ଲାଗିପଡ଼ିଥିଲେ ପୋଲିସ ଓ ଅଗ୍ନିଶ୍ରମବାହିନୀ ।ସେହିପରି ଗତକାଲି କଟକରେ ଲଘୁଚାପ ଜନିତ ବର୍ଷା ପବନରେ କଲେଜ ଛକରେ ଲାଇଟ ଗେଟ ଭାଙ୍ଗି ପଡିଥିଲା । ଫଳରେ ରାଣୀହାଟରୁ କଲେଜ ଛକ ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
