Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆସନ୍ତା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଘାସିରାମ ତାଙ୍କ ନାମାଙ୍କନ ଭରିଥିଲେ।ଗତ ୨୦୨୪ ମସିହାର ବିଧାନସଭା ନିର୍ବାଚନରେ ଘାସିରାମ ମାଝୀ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନ ଦଖଲ କରିଥିଲେ।

ସେତେବେଳେ ସେ ୫୧ ହଜାର ଭୋଟ୍ ଲାଭ କରିଥିଲେ, ଯାହା ମୁଖ୍ୟତଃ ଆଦିବାସୀ ସଂଘ ଓ ସ୍ଥାନୀୟ ସମର୍ଥକମାନଙ୍କ ଯୋଗୁ ମିଳିଥିଲା। ସେ ଗତ ନିର୍ବାଚନ ସମୟ‌ରେ କହିଥିଲେ ଯେ ଏହା ତାଙ୍କର ଶେଷ ନିର୍ବାଚନ। ହାରିଲେ ବି ସଂଘ ସହ ରହିବେ। କିନ୍ତୁ ହାରିବା ପରେ ସେ ପୁଣି କଂଗ୍ରେସମୁହାଁ ହୋଇଥିଲେ, ଯାହାକୁ ଆଦିବାସୀ କଲ୍ୟାଣ ସଂଘ ପସନ୍ଦ କରୁନାହିଁ। ଏପରିକି ତାଙ୍କୁ ସଂଘ ଆଦିବାସୀ ସମାଜ ବିରୋଧୀ କାର୍ଯ୍ୟ ଲାଗି ଏକ ବର୍ଷ ଲାଗି ବହିଷ୍କାର କରିଥିବା ଜଣାଯାଇଛି।ତେବେ ନୂଆପଡ଼ାରେ ଏଥର ଘାସିରାମଙ୍କୁ ପ୍ରାର୍ଥୀ କରି ଉପ-ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷୁଛି କଂଗ୍ରେସ । ଆଉ ଏହାରି ଭିତରେ ଘାସିରାମ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କଂଗ୍ରେସ ନିଜର ପୁରୁଖା ନେତା ଘାସିରାମଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଏବେ ବି ବିଚାରବିମର୍ଶ ଲାଗି ରହିଛି । ଆଜି ଆଶାୟୀ ପ୍ରାର୍ଥୀଙ୍କୁ ନବୀନ ନିବାସକୁ ଡକରା ହୋଇଥିବାବେଳେ, ସେଠାରେ ବିଜେଡି ନେତାଙ୍କ ସହ ଆଳୋଚନା ଚାଲିଛି । କୁହାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିପାରେ ।

Leave a Reply

Your email address will not be published. Required fields are marked *