ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କେନ୍ଦୁଝର ଜିଲ୍ଲାର ସାନଘାଗରାରେ ପ୍ରତିଷ୍ଠିତ ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।ଏହି କେନ୍ଦ୍ରଟି ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ଭାବେ ଗଢ଼ିଉଠିବା ସହ, ଓଡିଶାର ଦ୍ୱିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରାରେ ପ୍ରାୟ ୧୩୪ ଏକର ଜମିରେ ପ୍ରତିଷ୍ଠା ହେବ।
ପ୍ରସ୍ତାବିତ କେନ୍ଦ୍ରରେ ଦୁର୍ଲଭ ଓ ସ୍ଥାନୀୟ ଉଦ୍ଭିଦ ପ୍ରଜାତି ସଂରକ୍ଷଣ, ଉଦ୍ଭିଦ ଗବେଷଣା, ପ୍ରଶିକ୍ଷଣ ଏବଂ ପରିବେଶ ସଚେତନତା ସହିତ ଅନେକ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଉକ୍ତ ବୈଠକରୁ ଜଣା ପଡିଛି ଯେ, ଏହି କେନ୍ଦ୍ର, ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର, ଇକୋ-ଟୁରିଜିମ ଏବଂ ଗବେଷଣା ଓ ଶିକ୍ଷା ର ବିକାଶ ପାଇଁ ନିର୍ମାଣ କରାଯିବ। ଏହି ସ୍ଥାନଟି ପ୍ରାକୃତିକ ଅଭିଜ୍ଞତା ଏବଂ ଥିମାଟିକ ଗାର୍ଡେନର ଅନୁଭୂତି ପ୍ରଦାନ କରିବ । ଏହି କେନ୍ଦ୍ରରେ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ଼ ଉପଲବ୍ଧ ହେବା ସହିତ ଗୋଲାପ, ବାଉଁଶ, କାକଟସ, ଜଙ୍ଗଲୀ ଫଳ ଇତ୍ୟାଦି ମଧ୍ୟ ସ୍ଥାନିତ ହୋଇ ଅଞ୍ଚଳର ଶୋଭା ମଣ୍ଡନ କରିବ ।
ଏହି ଅଂଚଳକୁ ବିଶେଷ ପର୍ଯ୍ୟଟନ ସ୍ଥଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏହାକୁ ବର୍ଷ ତମାମ ପର୍ଯ୍ୟଟକ ଓ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅଂଚଳରେ ହାତୀ ଉପଦ୍ରବ ଅଧିକ ରହୁଥିବାରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଏହାର ଉଚିତ ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ Deep trenches ଦ୍ୱାରା ମଣିଷ-ହାତୀଙ୍କର ସଂଘର୍ଷକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ଏହି ନୂତନ ନିର୍ମାଣ ଯୋଗୁଁ ସେହି ସ୍ଥାନ ଦେଇ ବହି ଯାଉଥିବା ମାଛକାନ୍ଦଣା ନଦୀର ଜଳ ଯେପରି ସବୁବେଳେ ଭରପୁର ରୁହେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
