ନ୍ୟୁଜ ଡେକ୍ସ : ଉତ୍ତର ଓଡ଼ିଶା ଓ ସମୁଦ୍ରତଟ ଅଞ୍ଚଳକୁ ପ୍ରଭାବିତ କରିପାରିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି। ଉଭୟ ଜିଲ୍ଲାପାଳ ସତର୍କ ଅବସ୍ଥା ଘୋଷଣା କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି।ବାଲେଶ୍ୱର ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ରହିବ।
ଯେମାନେ ପୂର୍ବରୁ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ ନିଜ ଦାୟିତ୍ୱସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହିପରି, ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ୨୫ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ସେ କହିଛନ୍ତି ଯେ, କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଯିବେ ନାହିଁ ଏବଂ ସମସ୍ତେ ସତର୍କ ଅବସ୍ଥାରେ ରହି ଆବଶ୍ୟକତା ପଡିଲେ ତତ୍କ୍ଷଣାତ୍ ତାଲିମ ଓ ଉଦ୍ଧାର କାର୍ଯ୍ୟରେ ଯୋଗଦେବେ।ଜିଲ୍ଲାପାଳମାନେ ସମସ୍ତ ବିଭାଗକୁ ଆବଶ୍ୟକ ସାଜସଜ୍ଜା, ଉଦ୍ଧାର ଦଳ, ବିଜୁଳି ଓ ଜଳବିଭାଗକୁ ସଜଗ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେପରି, ସମ୍ଭାବ୍ୟ ବାତ୍ୟା ନେଇ ଜନସାଧାରଣଙ୍କୁ ମଧ୍ୟ ସଚେତନ ରହିବା ଓ ସରକାରୀ ନିର୍ଦ୍ଦେଶ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।ବାତ୍ୟା ଗଠନ ସମ୍ଭାବନା ଦେଇ ଆବହା ଅଧିକାରୀମାନେ କହିଛନ୍ତି ଯେ, ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଅଞ୍ଚଳରେ ନିମ୍ନଚାପ ଗଠିତ ହେଉଛି ଯାହା ଆଗାମୀ ଦିନରେ ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ।

