ନ୍ୟୁଜ ଡେକ୍ସ :ଟ୍ରେନ୍ ଯାତ୍ରାରେ ବିନୋଦ, ଖାଦ୍ୟ ଓ ବାହାର ଦୃଶ୍ୟ ଉପଭୋଗ ସବୁବେଳେ ଯାତ୍ରୀମାନଙ୍କ ପାଇଁ ଏକ ସୁଖାଦ ଅନୁଭବ ହୁଏ। କିନ୍ତୁ ଯେତେବେଳେ ଟ୍ରେନ୍ ମଝି ରାସ୍ତାରେ ଅଟକିଯାଏ କିମ୍ବା ବିଳମ୍ବ କରେ, ସେତେବେଳେ ଯାତ୍ରା ବିରକ୍ତିକର ହୋଇଯାଏ। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ — ଏହି ବିଳମ୍ବର ପିଛରେ ମାନବ ଅସାବଧାନତା ଏବଂ ଗୁଟଖା ଓ ଚିପ୍ସ ପାଉଚ୍ ହେଉଛି ମୁଖ୍ୟ ଦୋଷୀ!
ଭାରତୀୟ ରେଳବାଇ ଦ୍ୱାରା ହୋଇଥିବା ଏକ ତଦନ୍ତରେ ଜଣାପଡ଼ିଛି ଯେ ଟ୍ରେନ୍ ବିଳମ୍ବ ହେବାର ପ୍ରମୁଖ କାରଣ ହେଉଛି ଯାତ୍ରୀମାନଙ୍କ ଦାୟିତ୍ୱହୀନ ବ୍ୟବହାର। ଦେଶର ୭୦,୦୦୦ କିଲୋମିଟରରୁ ଅଧିକ ରେଳ ନେଟୱାର୍କ ଏବଂ ୧୩,୦୦୦ ରୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରୁ ପ୍ରାୟ ୪୦୦୦ ଟି ପ୍ରିମିୟମ୍ ଟ୍ରେନ୍ (ଯେପରିକି ବନ୍ଦେ ଭାରତ, ଶତାବ୍ଦୀ ଓ ରାଜଧାନୀ) ରହିଛି। ଏହି ଟ୍ରେନ୍ ଗୁଡ଼ିକ ଯାତ୍ରୀମାନଙ୍କ ଅସଚେତନ ଆଚରଣ ଯୋଗୁଁ ପ୍ରାୟତଃ ବିଳମ୍ବ ହେଉଛି। ସମ୍ପ୍ରତି ରେଳବାଇର ବରିଷ୍ଠ ଅଧିକାରୀମାନେ ରେଳ ଟ୍ରାକ୍ ଯାଞ୍ଚ କରିଥିଲେ। ତାହାରେ ଟ୍ରାକ୍ ପାଖରେ ଗୁଟଖା ଓ ଚିପ୍ସ ପାଉଚ୍ ରାଶିରାଶି ମିଳିଥିଲା।
ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯାତ୍ରୀମାନେ ଗୁଟଖା ଖାଇ ପାଉଚ୍ ଟିକୁ ଝରକା ବାହାରକୁ ଫିଙ୍ଗି ଦିଅନ୍ତି। ଏହି ପାଉଚ୍ ଗୁଡିକ ଟ୍ରାକ୍ ଉପରେ ପଡ଼ିଯାଏ କିମ୍ବା ସିଗନାଲ ଉପକରଣ ନିକଟରେ ଉଡ଼ିଯାଇ ଫସିଯାଏ।ଏହା ଫଳରେ ସିଗନାଲ ସିଷ୍ଟମ୍ ବିଫଳ ହେଉଛି ଏବଂ ଟ୍ରେନ୍ଗୁଡିକୁ ନିରାପତ୍ତା ନିୟମ ଅନୁସାରେ ସେହି ସ୍ଥାନରେ ଅଟକାଇବାକୁ ପଡ଼ୁଛି। ଏକ ଟ୍ରେନ୍ ଅଟକିଲେ ତାହା ପଛରେ ଥିବା ଅନ୍ୟ ଟ୍ରେନ୍ଗୁଡ଼ିକ ମଧ୍ୟ ବିଳମ୍ବ ହୁଅନ୍ତି।ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଆବହାନ କରାଯାଇଛି ଯେ, ସଫା-ସୁଥା ରଖିବା ମାତ୍ର ଦେଶପ୍ରେମ ନୁହେଁ — ଏହା ଟ୍ରେନ୍ ସେବାକୁ ସୁଚାଳିତ ରଖିବାର ଦାୟିତ୍ୱ ମଧ୍ୟ।

