ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ସକ୍ରିୟ ଭୀଷଣ ବାତ୍ୟା ‘ମୋନ୍ଥା’ ଏବେ ଶେଷ ପର୍ଯ୍ୟାୟରେ ଥିବା ସହିତ ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବାକୁ ଯାଉଛି। ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା କାକିନାଡା ଓ ମଛଲିପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ୯୦-୧୦୦ କି.ମି. ବେଗରେ ପବନ ବହିବା ଆଶଙ୍କା ରହିଛି।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହିତ ପୂର୍ବ ଆନ୍ଧ୍ର ଉପକୂଳରେ ଭୀଷଣ ବର୍ଷା ଓ ଝଡ଼ ପବନ ଦେଖାଯିବ।ବାତ୍ୟାର ପ୍ରକୋପକୁ ଲକ୍ଷ୍ୟରେ ରଖି ପୂର୍ବତଟ ରେଲୱେ (East Coast Railway) ପକ୍ଷରୁ ବିଶେଷ ସାବଧାନତା ଜାରି କରାଯାଇଛି। ଏହି ପରିସ୍ଥିତିରେ ମୋଟ ୪୨ଟି ଟ୍ରେନ ବାତିଲ୍ କରାଯାଇଛି।
ସେହିପରି ୨ଟି ଟ୍ରେନର ରୁଟ୍ ପରିବର୍ତ୍ତନ, ୫ଟି ଟ୍ରେନ୍ ସମୟିକ ଭାବେ ବାତିଲ୍ ଏବଂ ୮ଟି ଟ୍ରେନର ସମୟ ସାରଣୀ ପୁନଃ ନିର୍ଦ୍ଧାରିତ କରାଯାଇଛି।ବିଶେଷତଃ ଟ୍ରେନ ନଂ–୧୧୦୨୦ କୋଣାର୍କ ଏକ୍ସପ୍ରେସ୍ ଆଜି ପୂରାପୁରି ବାତିଲ୍ ରହିଛି। ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ, ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଟ୍ରେନର ସ୍ଥିତି ଯାଞ୍ଚ କରି ଯାଏଁ ଏବଂ ବାତ୍ୟା ସମୟରେ ଯାତ୍ରା ଏଡାଇବେ।

