Sun. Feb 22nd, 2026

ନ୍ୟୁଜ ଡେକ୍ସ : ସୁନ୍ଦରଗଡ଼ ଜିଲ୍ଲାର କୋଇଡା ମଣ୍ଡଳ ଅଧିନସ୍ଥ ଜିଭି ପିଆର (GVPR) ଲୁହା ଖଣି ଉପରେ ଖଣି ବିଭାଗ ଚଢ଼ାଉ କରିଛି। ଏହି ରେଡ୍‌ରେ ଖଣି ବିଭାଗର ୪ଜଣ ଅଧିକାରୀମାନେ ସାମିଲ ହୋଇ ଖଣି ମଧ୍ୟରେ ନିର୍ମିତ ଷ୍ଟାକ୍ ଓ ଖଣିଜ ପରିବହନ ରେକର୍ଡ ଯାଞ୍ଚ କରୁଛନ୍ତି।ସୂଚନା ଅନୁଯାୟୀ, ଏହି ଖଣିରୁ ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନ ଦର୍ଶାଇ ପରିବହନ କରାଯାଉଥିଲା ଏବଂ ବାହାର ରାଜ୍ୟକୁ ବିକ୍ରି କରାଯାଉଥିଲା।

ଏହି ବେଆଇନ ପ୍ରକ୍ରିୟା ଫଳରେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ଵ ହାନି ହୋଇଥିବା ଅଭିଯୋଗ ଉଠିଛି।ଖଣି ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ତିନି ସପ୍ତାହ ପୂର୍ବରୁ ଜିଭି ପିଆର ଖଣିରେ ଲୌହ ପଥର ପରିବହନ ଆରମ୍ଭ ହୋଇଥିଲା ଏବଂ ସେହି ସମୟରୁ ହିଁ ନିମ୍ନମାନ ଦର୍ଶାଇ ଉଚ୍ଚମାନ ଖଣିଜ ଚାଲାଣ ହୋଇଥିବା ସନ୍ଦେହ ଥିଲା। ଏହି ସନ୍ଦେହ ଆଧାରରେ ଖଣି ବିଭାଗ ରେଡ୍ କରି ସମସ୍ତ ଷ୍ଟକ୍, ରେକର୍ଡ ଏବଂ ପରିବହନ ଲାଇସେନ୍ସ ଯାଞ୍ଚ କରୁଛନ୍ତି।

ବିଭାଗ ଉଚ୍ଚ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଯଦି ବେଆଇନ ଚାଲାଣ ର ସ୍ପଷ୍ଟ ପ୍ରମାଣ ମିଳେ, ତେବେ କମ୍ପାନୀ ବିରୋଧରେ କଠୋର ଆଇନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହି ଚଢ଼ାଉ ପରେ ଖଣି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଏବଂ ଅନ୍ୟ ଖଣିଗୁଡ଼ିକୁ ମଧ୍ୟ ନିରୀକ୍ଷଣ ତଳରେ ରଖିବାକୁ ବିଭାଗ ଯୋଜନା କରୁଛି।

Leave a Reply

Your email address will not be published. Required fields are marked *