ନ୍ୟୁଜ ଡେକ୍ସ :ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ୍ ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷାରେ ହୋଇଥିବା ଜାଲିଆତି ମାମଲାରେ ୧୧୪ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛି।ସୂଚନା ଅନୁଯାୟୀ, ମୋଟ ୧୨୩ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ତାଙ୍କ ମଧ୍ୟରୁ ୧୧୪ ଜଣଙ୍କୁ ଜାମିନ ଦିଆଯାଇଛି ଯେଉଁଥିରେ ୫୦ ହଜାର ଟଙ୍କା ଜାମିନ ରାଶି ଓ ଦୁଇ ଜାମିନଦାରଙ୍କ ସର୍ତ୍ତ ରଖାଯାଇଛି।
ଏହି ସମ୍ପର୍କରେ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି।ଏହି ମାମଲାରେ ୪୦ରୁ ଅଧିକ ଓକିଲ ମିଳିତ ଭାବରେ ଜାମିନ ଆବେଦନ ଦାଖଲ କରିଥିଲେ। ତେବେ ମାଷ୍ଟର ମାଇଣ୍ଡ ମୁନା ମହାନ୍ତି ସହିତ ୯ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି ଏବଂ ସେମାନେ ଏବେ ମଧ୍ୟ ଜେଲରେ ରହିଛନ୍ତି। ଏହି ଜାଲିଆତି ମାମଲାରେ ଗିରଫ ହୋଇଥିବା ସମସ୍ତଙ୍କୁ ବିଜୟୱାଡା ଯାଇବାବେଳେ ବ୍ରହ୍ମପୁର ପୋଲିସ ଧରିଥିଲା।
ସେମାନେ ଟଙ୍କା ଦେଇ ସବ୍-ଇନ୍ସପେକ୍ଟର୍ ଚାକିରି ମିଳାଇବା ଯୋଜନାରେ ଜଡିତ ଥିଲେ ବୋଲି ଅଭିଯୋଗ ରହିଛି।ଏହି ଘଟଣା ଘଟିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପୋଲିସ ଓ ଭିଜିଲାନ୍ସ ବିଭାଗ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲା ଏବଂ ଅନେକ ଡିଜିଟାଲ ତଥ୍ୟ ଜବତ ହୋଇଥିଲା।ସୂଚନା ଅନୁଯାୟୀ, ଏହି ମାମଲାର ତଦନ୍ତ ଚାଲିଥିବା ସହ, ଅନ୍ୟ ଅଭିଯୁକ୍ତମାନଙ୍କ ଜଡାଣା ସନ୍ଦେହ ନେଇ ପୋଲିସ ଅଧିକ ସୂଚନା ଖୋଜୁଛି।

