ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରରେ ଭକ୍ତମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ପରିପେକ୍ଷରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ସୌମେନ୍ଦ୍ର ପ୍ରିୟଦର୍ଶୀ ସୋମବାର ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ପଞ୍ଚୁକର ଦ୍ୱିତୀୟ ଦିନରେ ତ୍ରିବିକ୍ରମ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଦେଖାଯାଇଥିଲା।
ଏଡିଜି ସହିତ ପୁରୀ ଏସପି ପ୍ରତୀକ ସିଂହ, ଡିଆଇଜି (କେନ୍ଦ୍ରୀୟ ରେଞ୍ଜ) ସତ୍ୟଜିତ ନାଏକ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମନ୍ଦିର ପରିସର ଭିତରେ ପହଞ୍ଚି ଦର୍ଶନ ବ୍ୟବସ୍ଥା ଯାଞ୍ଚ କରିଥିଲେ। ସୁବ୍ୟବସ୍ଥିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଗତ ଦିନ ପଞ୍ଚୁକର ପ୍ରଥମ ଦିନରେ ପ୍ରାୟ ୨ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଆସିଥିଲେ। ଏହି ଭିଡ଼ ସମୟରେ କିଛି ଭକ୍ତ ଧାଡ଼ି ଭାଙ୍ଗି ଉତ୍ତର ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବା ଚେଷ୍ଟା କଲେ, ଯାହା ଫଳରେ କିଛି ସମୟ ପାଇଁ ବିଶୃଙ୍ଖଳା ଏବଂ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଦୁଇ ଜଣ ମହିଳା ଭକ୍ତ ଆହତ ହୋଇଥିଲେ। ପୋଲିସ ତୁରନ୍ତ ହସ୍ତକ୍ଷେପ କରି ସ୍ଥିତିକୁ ନିୟନ୍ତ୍ରଣ ଆଣିଥିଲା।
ଏସଜେଟିଏ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ, ପୁରୀ ଏସପି ଓ ଡିଆଇଜି ସହିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ ସୁବ୍ୟବସ୍ଥା ପାଇଁ ମାର୍କେଟ ଛକରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ଅତିରିକ୍ତ ବ୍ୟାରିକେଡ୍ ସ୍ଥାପନ କରାଯାଇଛି।ଏହାସହିତ ଭକ୍ତମାନଙ୍କୁ ସିଂହଦ୍ୱାର ଦେଇ ପ୍ରବେଶ ଏବଂ ଅନ୍ୟ ଦ୍ୱାର ଦେଇ ପ୍ରସ୍ଥାନ କରିବାକୁ ଅନୁରୋଧ କରାଯାଇଛି।
ଭିଡ଼ ଅଧିକ ହେବାକୁ ଦେଖି ମନ୍ଦିର ଦର୍ଶନ ସମୟକୁ ରାତି ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଡିଆଇଜି ସତ୍ୟଜିତ ନାଏକ କହିଛନ୍ତି, “ସମସ୍ତ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନେ ନିୟମ ମାନି ଦର୍ଶନ କଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ସୁବିଧା ମିଳିବ।”

