Sun. Feb 22nd, 2026

ନ୍ୟୁଜ ଡେକ୍ସ : ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ମନ୍ଦିର ପରିସରରେ ହରିହର ବେଶରେ ଦର୍ଶନ ଦେଇ ଭକ୍ତମାନଙ୍କ ମନ ମୁଗ୍ଧ କରିଛନ୍ତି ପ୍ରଭୁ ଧବଳେଶ୍ୱର । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ହୋଇଥିବା ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଧବଳେଶ୍ୱର ପୀଠକୁ ଭିଡି ଯାଇଥିଲେ ।

ସୋମବାର ଦିନ ସକାଳେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିଥିଲେ ମଧ୍ୟ, ଅପରାହ୍ଣ ପରେ ପୀଠ ପରିସର ଭକ୍ତ ଭାବନାରେ ପରିପୂର୍ଣ୍ଣ ହୋଇଯାଇଥିଲା । କଟକ, ଚୌଦ୍ୱାର ଓ ଆଠଗଡ଼ ମାର୍ଗରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଚୌଦ୍ୱାର ଏସ୍‌ଡିପିଓ ଉମାକାନ୍ତ ନାୟକଙ୍କ ଅନୁସାରେ ରାତି ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ ଲାଗି ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଛାଇଯାଇଥିଲା ।

ବଡ଼ଓଷା ବ୍ରତ ପାଳନ କରୁଥିବା ବ୍ରତଧାରୀମାନେ ମନ୍ଦିର ପାଶ୍ୱର୍ ଓ ପୀଠ ମଧ୍ୟରେ ଥିବା ମଞ୍ଚ, ହୋଟେଲ ଓ ବୁଢାଲିଙ୍ଗ ପରିସରରେ ନିଜ ବ୍ରତ ପାଳନ କରିଥିଲେ । ସକାଳୁ ଆସିଥିବା ଭକ୍ତମାନେ ବାହାରେ ଖାଇ ନଥିଲେ; ନିଜେ ଆଣିଥିବା ଚାଉଳ, ଆଳୁ, କଖାରୁ ଓ ପନିପରିବାରୁ ଖାଦ୍ୟ ପକାଇ ପ୍ରଭୁଙ୍କୁ ଅର୍ପଣ କରି ପରେ ସେହି ଭୋଗ ଗ୍ରହଣ କରିଥିଲେ ।ଦେବୋତ୍ତର ପ୍ରଶାସନ ଓ ପୂଜକ ସମାଜ ପକ୍ଷରୁ ରବିବାର ରାତି ୨ଟାରେ ପହଡ଼ ଖୋଲି ମଙ୍ଗଳ ଆଳତୀ କରାଯାଇଥିଲା । ପରେ ମହାନଦୀରୁ ଆଣାଯାଇଥିବା ୧୦୮ ଗରା ଜଳ ସହିତ ଚନ୍ଦନ ଓ ଅଗୁର ମିଶ୍ରିତ ଜଳରେ ବାବାଙ୍କ ଜଳାଭିଷେକ କରାଯାଇଥିଲା ।

ଏହିପରି ସ୍ନାନନୀତି ସମ୍ପନ୍ନ ହେବା ପରେ ହରିହର ବେଶରେ ବାବାଙ୍କ ଦର୍ଶନ ପାଇ ଭକ୍ତମାନେ ହରିବୋଲ ଓ ହୁଳହୁଳି ଧ୍ୱନିରେ ମନ୍ଦିରକୁ ମନୋହର ପରିବେଶରେ ଭରିଦେଇଥିଲେ ।ଭିଡକୁ ନଜରରେ ରଖି ପୀଠ ଓ ମହାନଦୀ ଘାଟରେ ୧୦ ଜଣ ମାଜିଷ୍ଟ୍ରେଟ୍ ଓ ୧୫ ପ୍ଲାଟୁନ୍‌ ଫୋର୍ସ ସହିତ ଅଧିକାରୀମାନେ ତୀକ୍ଷଣ ନଜର ରଖିଥିଲେ । ରାତି ସୁଦ୍ଧା ଉଜାଗର ହୋଇ ବଡ଼ସିଂହାର ବେଶ ଦର୍ଶନ କରି ଭକ୍ତମାନେ ମଙ୍ଗଳବାର ପ୍ରଭାତରୁ ଘରକୁ ଫେରିଯାଇଥିଲେ ।

Leave a Reply

Your email address will not be published. Required fields are marked *