ନ୍ୟୁଜ ଡେକ୍ସ : ଆସନ୍ତା ଉପନିର୍ବାଚନକୁ ଲକ୍ଷ୍ୟ କରି ଏବେ ନୂଆପଡ଼ା ରାଜନୈତିକ ମାହୋଲରେ ତପ୍ତ ହୋଇଯାଇଛି। ପୂରା ରାଜ୍ୟର ନେତାମାନେ ଏଠାରେ ଡେରା ପକାଇ ରଖିଛନ୍ତି। ଦିନକୁ ଦିନ ବଢ଼ୁଛି ପ୍ରଚାରର ହାଇଭୋଲଟେଜ୍ ଚମକ।ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଆସି ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ।
କୋମନାରେ ରୋଡ୍ ସୋ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ମଧ୍ୟରେ ସଂପର୍କ ସୃଷ୍ଟି କରି ଭୋଟ ମାଗିବେ। ଏଥିପାଇଁ ଦଳୀୟ ଶିବିର ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ। ସେ ପଞ୍ଚମପୁରରେ ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।
ଏପରିକି ଅନ୍ୟାନ୍ୟ ଦଳ ମଧ୍ୟ ନିଜ-ନିଜ ପ୍ରାର୍ଥୀଙ୍କ ପକ୍ଷରେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ରାତିଦିନ ମାଇକ୍ ପ୍ରଚାର, ସଭା ଓ ଦ୍ୱାରେ-ଦ୍ୱାରେ ଯୋଗାଯୋଗ ମାଧ୍ୟମରେ ଭୋଟ ଅଭିଯାନ ଚାଲିଛି। ନୂଆପଡ଼ା ଉପନିର୍ବାଚନ ଯେପରି ଦିନକୁ ଦିନ ନିକଟସ୍ଥ ହେଉଛି, ତେଣୁ ରାଜନୈତିକ ତାପ ମଧ୍ୟ ସେହିପରି ବଢ଼ୁଛି। ସମସ୍ତ ଦଳ ଜିତିବା ପାଇଁ ଅତ୍ୟାଧିକ ଚେଷ୍ଟାଶୀଳ ହେବାରୁ ନୂଆପଡ଼ା ଏବେ ପରିଣତ ହୋଇଛି ରାଜନୀତିର କେନ୍ଦ୍ରବିନ୍ଦୁରେ।

