ନ୍ୟୁଜ ଡେକ୍ସ : ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ରାଜନୈତିକ ଉତ୍ସାହ ଶିଖରକୁ ପହଞ୍ଚିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଏକ ଭବ୍ୟ ରୋଡ୍ ସୋ’ କରିଥିଲେ ଯେଉଁଠାରେ ହଜାର ହଜାର ବିଜେପି ସମର୍ଥକ ଓ କର୍ମୀ ଯୋଗଦେଇଥିଲେ।ରୋଡ୍ ସୋ’ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।
ସେମାନଙ୍କ ସହଭାଗିତା ଦଳୀୟ କର୍ମୀମାନଙ୍କ ମନୋବଳକୁ ଅଧିକ ଉଚ୍ଚ କରିଛି।ଏହାର ପୂର୍ବରୁ, ଗୁରୁବାର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ନୂଆପଡ଼ା ବ୍ଲକ୍ରେ ଆସି ବିଜେପି ପ୍ରାର୍ଥୀ ପାଇଁ ସଭା କରିଥିଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସଫଳ କରିବା ପାଇଁ ବିଜେପି ନେତାମାନେ ଘନଘନ ପ୍ରସ୍ତୁତି ବୈଠକ କରି ଅଭିଯାନକୁ ତୀବ୍ର କରିଛନ୍ତି। ବର୍ତ୍ତମାନ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦୁଇଟି ବ୍ଲକ୍ ଓ ଦୁଇଟି ଏନଏସି ମଧ୍ୟରୁ କୋମନା ବ୍ଲକ୍ ଉପରେ ସମସ୍ତ ଦଳ ଫୋକସ୍ କରୁଛନ୍ତି। ଏଠାରେ ସର୍ବାଧିକ ଭୋଟର୍ ରହିଥିବାରୁ ଏହି ବ୍ଲକ୍ ହିଁ ଉପନିର୍ବାଚନୀ ଫଳାଫଳକୁ ନିର୍ଣ୍ୟାତ୍ମକ ଭାବେ ପ୍ରଭାବିତ କରିପାରିବ ବୋଲି ଦଳଗୁଡ଼ିକ ମନୋଭାବ ବ୍ୟକ୍ତ କରିଛନ୍ତି।ପୂର୍ବ ନିର୍ବାଚନରେ ବିଜେଡି ଏଠାରୁ ଅଧିକ ଭୋଟ ପାଇଥିଲା ଓ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ (ଏବେର କଂଗ୍ରେସ ପ୍ରାର୍ଥୀ) ଦ୍ୱିତୀୟ ସ୍ଥାନରେ ଥିଲେ। ଘାସିରାମଙ୍କ ଏଠାରେ ନିଜସ୍ୱ ଭୋଟ ବ୍ୟାଙ୍କ ରହିଥିବାରୁ ଏହିଥର ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା।
କିନ୍ତୁ ଏହିଥର ପରିସ୍ଥିତି ଅଲଗା — ପୂର୍ବତନ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଏବେ ବିଜେପି ଟିକେଟରେ ରିଙ୍ଗରେ ଅଛନ୍ତି। ଏହା ଫଳରେ ପୂର୍ବ ବିଜେଡି ଭୋଟର୍ମାନଙ୍କ ମଧ୍ୟରେ ଗଣିତ ଜଟିଳ ହୋଇପଡ଼ିଛି।ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ବିଜେଡି ନେତାମାନେ ପୁରୁଣା ଭୋଟ ବ୍ୟାଙ୍କକୁ ବାନ୍ଧି ରଖିବା ପାଇଁ ସବୁପରି ଚେଷ୍ଟା କରୁଛନ୍ତି। ଅନ୍ୟପଟେ, ବିଜେପି ଏବେ ମୋହନ ଚରଣ ମାଝୀଙ୍କ ସଭା ଓ ରୋଡ୍ ସୋ’ ଦ୍ୱାରା ଦଳକୁ ନୂଆ ଉତ୍ସାହ ଓ ଗତି ଦେଇବାରେ ସଫଳ ହୋଇଛି।

