ନ୍ୟୁଜ ଡେକ୍ସ : ଆନ୍ଧ୍ର ସୀମାନ୍ତ ଅଞ୍ଚଳର ସାଲୁର ଘାଟିରେ ଆଜି ଭୋରେ ଘଟିଥିବା ଏକ ଦୁର୍ଘଟଣା ତିବ୍ର ଭୟ ସୃଷ୍ଟି କରିଛି । ଜୟପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ହଠାତ୍ ଇଞ୍ଜିନ୍ରୁ ଧୁଆଁ ବାହାରିବା ପରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଇଛି । ସଭାଗ୍ୟକ୍ରମେ ଡ୍ରାଇଭର, ହେଲପର ସହ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।ସୂଚନା ଅନୁସାରେ, ଓଡ଼ିଶାର ଏହି ବସ୍ଟି ଭୋର ପ୍ରାୟ ୫ଟା ସମୟରେ ବିଜୟନଗର ଠାରୁ ଜୟପୁର ଦିଗକୁ ବାହାରିଥିଲା ।
ଆନ୍ଧ୍ର ସୀମାନ୍ତର କୋନାୱାଲାସ ପ୍ରଥମ ଘାଟି ଚଢୁଥିବା ବେଳେ ହଠାତ୍ ଇଞ୍ଜିନ୍ ଅଂଶରୁ ଧୁଆଁ ବାହାରିଥିଲା । ଏହାକୁ ଡ୍ରାଇଭର ଦେଖି ତୁରନ୍ତ ବସ୍କୁ ରାସ୍ତା କଡ଼ରେ ରଖି ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କହିଥିଲେ ।ତା’ପରେ କିଛି ମିନିଟ ମଧ୍ୟରେ ବସ୍ଟି ସମ୍ପୂର୍ଣ୍ଣ ଭାବେ ଅଗ୍ନିଶିଖାରେ ଘେରିଯାଇଥିଲା । ଖବର ପାଇ ଆନ୍ଧ୍ରପ୍ରଦେଶର ସାଲୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣରେ ଆଣିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଥିଲା ।
ତଥାପି ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳି ଛାର ହୋଇଯାଇଛି ।ପ୍ରାରମ୍ଭିକ ତଦନ୍ତରେ ଜଣାପଡିଛି ଯେ ଇଞ୍ଜିନର ସର୍ଟସର୍କିଟ୍ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ସେପଟେ ଆନ୍ଧ୍ରର ପାସିପେନ୍ଟା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ସମ୍ପୂର୍ଣ୍ଣ କାରଣ ଖୋଜିବାକୁ ତଦନ୍ତ ଜାରି ରଖିଛି ।ଯାତ୍ରୀମାନେ ସମୟରେ ବସ୍ରୁ ବାହାରିପାରିଥିବାରୁ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚିଯାଇଛି । ଏହି ଘଟଣା ପରେ ଏଲାକାରେ ଭୟ ଓ ଅସନ୍ତୋଷ ସୃଷ୍ଟି ହୋଇଛି ।

