ନ୍ୟୁଜ ଡେକ୍ସ : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସପକ୍ଷରେ ପୂର୍ବରୁ ୪୦ରୁ ଅଧିକ ଓକିଲ ୱକାଲତନାମା ଦାଖଲ କରିଥିବା ବେଳେ, ଏବେ ୨୦୯ ଜଣ ଓକିଲ ତାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କରିଥିବା ଜଣାପଡିଛି । ଏହି ଘଟଣା ଆଇନ ମହଳରେ ଚର୍ଚ୍ଚାର ନୂଆ ତରଙ୍ଗ ସୃଷ୍ଟି କରିଛି ।ଗୁରୁବାର ବିକ୍ରମଙ୍କ ଓକିଲ ପକ୍ଷରୁ ବ୍ରହ୍ମପୁର ଏସ.ଡି.ଜେ.ଏମ୍ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ।
ସେହି ପିଟିସନରେ ବିକ୍ରମ ପଣ୍ଡାଙ୍କର ଏହି ହତ୍ୟା ମାମଲା ସହିତ କୌଣସି ସଂପୃକ୍ତି ନଥିବା ଦାବି କରାଯାଇଛି ଏବଂ ମାମଲାରୁ ତାଙ୍କୁ ମୁକ୍ତ କରିବା ପାଇଁ ଅଦାଲତକୁ ଅନୁରୋଧ କରାଯାଇଛି ।ଅନ୍ୟପଟେ, ଏହି ମାମଲା ସମ୍ପର୍କରେ ଗଣମାଧ୍ୟମରେ ଦିଆଯାଇଥିବା ବୟାନ ଉପରେ ହାଇକୋର୍ଟ ଆଗରେ ବ୍ରହ୍ମପୁର ଏସପି ଲିଖିତ ଉତ୍ତର ଦାଖଲ କରିଛନ୍ତି । ଅଦାଲତ ଅବମାନନା ମାମଲା ଭାବେ କାହିଁକି ବିଚାର କରାଯିବ ନାହିଁ ବୋଲି ସେହି ଉତ୍ତରରେ ସ୍ପଷ୍ଟୀକରଣ ଦିଆଯାଇଛି । ହାଇକୋର୍ଟ ସତ୍ୟପାଠ ଜରିଆରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅତିରିକ୍ତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛି ।
ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସ୍ମରଣୀୟ, ଗତ ୬ ତାରିଖରେ ବ୍ରହ୍ମପୁରରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣା ପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଥିଲା । ପରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ତିନି ତାରିଖରେ ଆତ୍ମସମର୍ପଣ କରିଥିଲେ । ଏହାପରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ମଧ୍ୟ ପୋଲିସ ଗିରଫ କରି ଜେରା କରୁଛି ।ଉମା ଓ କୁରୁପତି ଧରାପଡ଼ିବା ପରେ ମାମଲାର ଅନେକ ଗୁପ୍ତ ତଥ୍ୟ ଫାଶ ହେବ ବୋଲି ଆଶା କରାଯାଉଛି ।

