Mon. Feb 23rd, 2026

ନ୍ୟୁଜ ଡେକ୍ସ : ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ଉଭୟେ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ, ଏବେ ସେମାନଙ୍କ ଉପରେ ଲାଏ ଡିଟେକ୍ସନ୍ ଟେଷ୍ଟ (ମିଛ ଧରା ପରୀକ୍ଷା) କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

ସୂତ୍ର ମତେ, ଏହି ପରୀକ୍ଷା ମାଧ୍ୟମରେ ଶଙ୍କର ଓ ସୁରେଶଙ୍କ ମଧ୍ୟରେ ଥିବା ଆନ୍ତରିକ ସଂଯୋଗ, ଟଙ୍କା କାରବାର ଓ ଅନ୍ୟ ଅଭିଯୁକ୍ତମାନଙ୍କ ସହ ଥିବା ଯୋଗସୂତ୍ର ଉଦ୍‌ଘାଟିତ ହେବ ବୋଲି ଆଶା କରାଯାଉଛି । କେଳେଙ୍କାରୀର ଚେର କେତେଦୂର ଲମ୍ବିଛି ଏବଂ ଏହାର ରାଜନୈତିକ ସମ୍ପର୍କ ରହିଛି କି ନାହିଁ, ତାହା ଜାଣିବା ଉଦ୍ଦେଶ୍ୟରେ ଏହି ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।ସୂଚନାଯୋଗ୍ୟ, ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ କିଛି ଦିନ ପୂର୍ବରୁ ନେପାଳ ସୀମା ଉତ୍ତରାଖଣ୍ଡରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

ସେ ଦୁବାଇ ପଳାଇ ଯିବାର ଯୋଜନା ରଖିଥିବା ସମୟରେ ଧରାପଡିଥିଲେ । ଧରାପଡିଲା ପରେ ଶଙ୍କର ନିଜକୁ ନିର୍ଦ୍ଦୋଶ ବୋଲି ଦାବି କରିଥିଲେ ଓ ଏହି ଘଟଣା ପଛରେ ପୂର୍ବ ସରକାରଙ୍କ ହାତ ରହିଥିବା ଅଭିଯୋଗ ମଧ୍ୟ କରିଥିଲେ । ଏବେ କ୍ରାଇମବ୍ରାଞ୍ଚ ଦୁଇଜଣଙ୍କ ଲାଏ ଡିଟେକ୍ସନ୍ ପରୀକ୍ଷା ମାଧ୍ୟମରେ ଆସଲ ତଥ୍ୟ ଉଦ୍‌ଘାଟନ କରିବାକୁ ଚେଷ୍ଟା ଜୋରଦାର କରିଛି । ଏହି ମାମଲା ଓଡ଼ିଶା ପୋଲିସ ଏବଂ ପ୍ରଶାସନ ମହଳରେ ଏବେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚାର ବିଷୟ ହୋଇପଡିଛି ।

Leave a Reply

Your email address will not be published. Required fields are marked *