ନ୍ୟୁଜ ଡେକ୍ସ : “ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ହେଉଛି ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ,” ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ। ଆଜି ଲୋକସେବା ଭବନ ପ୍ରାଙ୍ଗଣରେ ଆୟୋଜିତ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷପୂର୍ତ୍ତି ଉଦଘାଟନ କାର୍ଯ୍ୟକ୍ରମରେ ସେ ଏହା କହିଥିଲେ।
ଲୋକସେବା ଭବନ ପ୍ରାଙ୍ଗଣରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଘାଟନୀ ଉଦ୍ବୋଧନ ପରେ ସାମୁହିକ ଭାବେ ବନ୍ଦେ ମାତରମ୍ ଗାନ ହୋଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ସେୟାର ହୋଇଥିଲେ।ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ — “ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ଭାବନା ଜଗାଇଥିଲା। ବ୍ରିଟିଶ ଶାସକମାନେ ଏହାର ପ୍ରଭାବରେ ଭୟଭୀତ ହୋଇ ଏହି ଗୀତକୁ ବନ୍ଦ କରିଥିଲେ, ଯାହା ଏହାର ଶକ୍ତିର ପ୍ରମାଣ।
” ସେ ଅଧିକ କହିଥିଲେ, “ଦେଶପ୍ରେମ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ବନ୍ଦେ ମାତରମ୍ ଆମ ହୃଦୟରେ ସେହି ଅଗ୍ନିକୁ ପୁନଃ ଜାଗୃତ କରେ। ଯୁବପୀଢ଼ୀ, ପିଲା ଓ ଛାତ୍ରଛାତ୍ରୀମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ବର୍ଷବ୍ୟାପୀ ପାଳନ ଖୁବ୍ ଗୁରୁତ୍ୱପୂର୍ଣ୍ଣ।”ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ଯେ, ଆଗାମୀ ଏକ ବର୍ଷ ଧରି ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ ଓ ବିଭିନ୍ନ ସଂଗଠନରେ ସାମୁହିକ ଗାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ଚାଲିବ।
“ଆମେ ସମସ୍ତେ ଏହି ଅଭିଯାନର ଅଂଶ ହେବା ଓ ଭାରତ ମାତାର ଗୌରବକୁ ସାରା ପୃଥିବୀରେ ପ୍ରସାର କରିବା ଉଚିତ,” ବୋଲି ସେ କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମୁହିକ ଭାବେ ବନ୍ଦେ ମାତରମ୍ ଗୀତ ଗାଇ ସଭାସ୍ଥଳୀକୁ ଦେଶପ୍ରେମର ଉତ୍ସାହରେ ଭରିଦେଇଥିଲେ।

