Mon. Feb 23rd, 2026

ନ୍ୟୁଜ ଡେକ୍ସ : ଗତବର୍ଷ ତୁଳନାରେ ଚଳିତବର୍ଷ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହାର ଚିନ୍ତାଜନକ ଭାବେ ବଢ଼ିଛି। ଜାନୁଆରୀରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟସୀମା ଭିତରେ ଗତବର୍ଷ ତୁଳନାରେ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଥିବା ତଥ୍ୟ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଉପସ୍ଥାପିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ତଥ୍ୟ ଉଲ୍ଲେଖ ହୋଇଥିଲା।

ତଥ୍ୟ ଅନୁଯାୟୀ, ଗତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ମୋଟ ୮୪୯ଟି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ ଚଳିତବର୍ଷ ସେହି ସମୟସୀମାରେ ଏହି ସଂଖ୍ୟା ବଢ଼ିକି ୯୫୪ ହୋଇଛି। ଗତବର୍ଷ ୨୭୦ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଏବେ ୨୭୬ଜଣ ଜୀବନ ହାରିଛନ୍ତି — ଯାହା ଗତବର୍ଷ ତୁଳନାରେ ୨.୧୭ ପ୍ରତିଶତ ଅଧିକ। ଯଦିଓ ଗତବର୍ଷ ୫୪୭ଜଣ ଗୁରୁତର ଆହତ ହୋଇଥିଲେ, ଚଳିତବର୍ଷ ଏହି ସଂଖ୍ୟା ହ୍ରାସ ପାଇ ୫୩୪ରେ ପହଞ୍ଚିଛି।ସଭାରେ ଅଧିକାରୀମାନେ କହିଛନ୍ତି ଯେ, ଜାତୀୟ ରାଜପଥରେ ଦୁର୍ଘଟଣା ହାର ସର୍ବାଧିକ ରହିଛି। ପୂର୍ବରୁ ଏନ୍‌ଏଚ୍‌-୧୬ ରେ ଓଭରବ୍ରିଜ୍‌ ନଥିବାରୁ ଦୁର୍ଘଟଣା ଘଟୁଥିଲା, କିନ୍ତୁ ବର୍ତ୍ତମାନ ପାହାଳରୁ ଖୋର୍ଦ୍ଧା ସୀମା ପର୍ଯ୍ୟନ୍ତ ଓଭରବ୍ରିଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଇଛି। ଏହାର ପରିଣାମରେ ଏନ୍‌ଏଚ୍‌ ଉପରେ ବ୍ଲାକ୍‌ ସ୍ପଟ୍‌ର ସଂଖ୍ୟା ହ୍ରାସ ପାଇଛି।

ତଥାପି ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ଆଶଙ୍କା କରୁଛି ଯେ, ଆସନ୍ତା ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟସୀମାରେ ପିକ୍‌ନିକ୍‌ ଋତୁ ଓ କୁହୁଡି ଯୋଗୁଁ ଦୁର୍ଘଟଣା ଆଉ ବଢ଼ିପାରେ। ସେପାଇଁ ଅଧିକ ସଚେତନତା, ଟ୍ରାଫିକ୍‌ ନିୟମ ପାଳନ ଓ ସଠିକ୍‌ ପରିବହନ ନିୟନ୍ତ୍ରଣ ଜରୁରୀ ହେବ ବୋଲି ଅଧିକାରୀମାନେ ଜଣାଇଛନ୍ତି।ଜିଲ୍ଲାପାଳ କହିଛନ୍ତି, “ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତ ବିଭାଗ ସମନ୍ୱୟରେ କାମ କରିବା ଆବଶ୍ୟକ। ସଚେତନତା ହିଁ ହେଉଛି ସର୍ବୋତ୍ତମ ପ୍ରତିରୋଧ।”

Leave a Reply

Your email address will not be published. Required fields are marked *