Sun. Feb 22nd, 2026

ନ୍ୟୁଜ ଡେକ୍ସ : ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାର କେରନ ସେକ୍ଟରରେ ଶନିବାର ଦିନ ଭାରତୀୟ ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଚେଷ୍ଟାକୁ ବିଫଳ କରି ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଶୁକ୍ରବାର ଦିନ ନିୟନ୍ତ୍ରଣ ରେଖା (LoC) ପାର ହୋଇ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିବା ପରେ ଭାରତୀୟ ସେନା ଏକ ବିଶେଷ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଚିନାର କର୍ପସ ତରଫରୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଜଣାଯାଇଛି ଯେ, ଅଭିଯାନ ସମୟରେ ଆତଙ୍କବାଦୀମାନେ ସେନା ଉପରେ ଅନିୟନ୍ତ୍ରିତ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ପାଲଟା ଜବାବ ଦେଇ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ଓ ସେମାନଙ୍କ ସଂଗଠନ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନି।ସେନା ସୂତ୍ର ଅନୁଯାୟୀ, ଏହି ଅଭିଯାନ ପରେ ସମଗ୍ର ସୀମା ଅଞ୍ଚଳକୁ ସଚେତନ ରଖାଯାଇଛି ଏବଂ ଅନୁପ୍ରବେଶ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ କରାଯାଇଛି। ଏହା ସହିତ, ଜମ୍ମୁ ଏବଂ କାଶ୍ମୀର ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (CIK) ଶନିବାର ଉପତ୍ୟକାର ଅନେକ ଜେଲରେ ତଲାସୀ ଅଭିଯାନ ଚାଲାଇଥିଲା। ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ଯଦି ତଲାସୀ ସମୟରେ କୌଣସି ବେଆଇନ ଜିନିଷ ମିଳେ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନଭେମ୍ବରର ପ୍ରଥମ ସପ୍ତାହରେ ସୁରକ୍ଷା ସୂତ୍ର ଜଣାଇଥିଲେ ଯେ, ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ଓ ଜୈଶ-ଏ-ମହମ୍ମଦ (JeM) ଜମ୍ମୁ ଓ କାଶ୍ମୀରରେ ଆତଙ୍କ ଆକ୍ରମଣ ଯୋଜନା କରୁଛନ୍ତି। ଏହି ପରିପ୍ରେକ୍ଷିତରେ ସୁରକ୍ଷା ବାହିନୀ ସଜାଗ ରହି ସୀମା ଅଞ୍ଚଳରେ ଅଭିଯାନ ଜାରି ରଖିଛି।ଏହି ମାସରେ ମାତ୍ର କିସ୍ତୱାର ଜିଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଭାରତୀୟ ଯବାନ ଆହତ ହୋଇଥିଲେ। ଏହା ସହ ଦେଶ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ପାଇଁ ଭାରତୀୟ ସେନାର ସତର୍କ ଭୂମିକା ଜାରି ରହିଛି।

Leave a Reply

Your email address will not be published. Required fields are marked *