Mon. Feb 23rd, 2026

ନ୍ୟୁଜ ଡେକ୍ସ : ନଭେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ବି ଏବେ ରାଜ୍ୟରେ ଶୀତର ଲହରି ସେତେଟା ଦେଖିବାକୁ ମିଳୁନାହିଁ । ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବିଳମ୍ବରେ ଶୀତର ପ୍ରଭାବ ଜାରି ହେବ । ଏପଟେ ରାଜଧାନୀ ଭୁବନେଶ୍ବରରେ ହାଲକା ହାଲକା ଶୀତ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି ।

ଗତ ୪ ଦିନରେ ମାତ୍ର ୪.୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି ରାଜଧାନୀରେ। ଭୋର ସାଢେ ୭ଟା ସୁଦ୍ଧା ମାପାଯାଇଥିବା ତାପମାତ୍ରା ଅନୁସାରେ, ଭୁବନେଶ୍ୱରରେ ପାରଦ ୧୬.୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି। ଗତ ୭ ତାରିଖରେ ଏହି ସଂଖ୍ୟା ଥିଲା ୨୦.୮ ଡିଗ୍ରୀ।ଏପଟେ କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ପରି ଆଭ୍ୟନ୍ତରଣୀ ଜିଲ୍ଲାରେ ହାଲୁକା ଶୀତ ଅନୁଭୂତ ହେବା ଆରମ୍ଭ ହୋଇଛି। ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇଛି।ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଆସନ୍ତା ୨ରୁ ୩ ଦିନରେ ପାରଦ ଆହୁରି ୩ରୁ ୪ ଡିଗ୍ରୀ ଖସିପାରେ। ତେବେ ଏବର୍ଷ ପଶ୍ଚିମା ବାୟୁର ପ୍ରଭାବ ଯୋଗୁଁ ଲଗାତାର ଶୀତ ଲହରି ରହିବ ନାହିଁ।

ଗତବର୍ଷ ଅପେକ୍ଷା ଥଣ୍ଡା ଅଧିକ ହେଲେ ବି ଏବେ ଶୀତର ଅବଧି ଛୋଟ ହେବ।ଉତ୍ତର ଓ ଆଭ୍ୟନ୍ତରଣୀ ଓଡିଶାରେ ରାତି ତାପମାତ୍ରା ହ୍ରାସ ହୋଇ ଥଣ୍ଡା ବଢୁଛି। ମୟୂରଭଞ୍ଜରେ ପାରଦ ୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୧ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି। ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଭଦ୍ରକ ଓ କଳାହାଣ୍ଡି ପରି ଜିଲ୍ଲାରେ ୧୫ ଡିଗ୍ରୀ ତଳକୁ ତାପମାତ୍ରା ଖସିଛି।

ସକାଳ ସମୟରେ ଅନେକ ସ୍ଥାନରେ ହାଲୁକା କୁହୁଡ଼ିଆ ପାଗ ଦେଖିବାକୁ ମିଳୁଛି। ଲୋକେ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଚା ଖଟିରେ ବୟସ୍କମାନଙ୍କ ଖଟି ଜମୁଛି।ଆଜି ଦିନରେ ଆକାଶ ସଫା ଓ ନିର୍ମଳ ରହିବା ସହିତ ଦିନ ତାପମାତ୍ରା ୩୧ ଡିଗ୍ରୀ ମଧ୍ୟରେ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *