Tue. Feb 24th, 2026

ନ୍ୟୁଜ ଡେକ୍ସ : ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ସରକାରୀ ଘୋଷଣା କରିଛନ୍ତି। ଏହା ଫଳରେ ବାଲିଯାତ୍ରା ଆଜି ୧୨ ତାରିଖରେ ସମାପ୍ତ ହେବା ପରିବର୍ତ୍ତେ ଆସନ୍ତାକାଲି ୧୩ ତାରିଖ ଦିନ ପର୍ଯ୍ୟନ୍ତ ଉଦଯାପିତ ହେବ।ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପଛରେ ଥିଲା ସାଧାରଣ ଲୋକଙ୍କ ଭାରୀ ଆକର୍ଷଣ ଓ ଆଗ୍ରହ, ସହିତେ ବାଲିଯାତ୍ରାରେ ବ୍ୟବସାୟୀ ମାନଙ୍କ ବ୍ୟବସାୟିକ କାରବାରକୁ ଧ୍ୟାନରେ ରଖି।

ମେଳାରେ ଦିନକୁ ଦିନ ଯେପରି ସଂଖ୍ୟାଧିକ ଭିଡ଼ ହେଉଛି, ତାହା ଦେଖି ଅନେକ ବ୍ୟବସାୟୀ ଓ ଦର୍ଶକ ଏହାର ଅବଧି ବଢ଼ିବା ଆଶା କରୁଥିଲେ। ତାହାକୁ ମୁଖ୍ୟମନ୍ତ୍ରୀ ମାଝୀ ପୂରଣ କରିଥିଲେ।ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ଓ ବାଣିଜ୍ୟିକ ମେଳା ହେଉଛି କଟକ ବାଲିଯାତ୍ରା। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାନଦୀ କୂଳରେ ଏହି ଐତିହାସିକ ଉତ୍ସବ ଅନୁଷ୍ଠିତ ହୁଏ।

ପୁରୁଣା ସମୟର ଓଡ଼ିଆ ସାଗରଯାତ୍ରୀମାନଙ୍କ ସ୍ମୃତିକୁ ଗୋଟିଏ ଜୀବନ୍ତ ରୂପ ଦେଇଥିବା ଏହି ବାଲିଯାତ୍ରା ଏବେ ଆନ୍ତର୍ଜାତିକ ପର୍ଯ୍ୟାୟରେ ଓଡ଼ିଶାର ସଂସ୍କୃତିକ ଗର୍ବ ହୋଇପାରିଛି। ପୂର୍ବରୁ ବାଲିଯାତ୍ରା ଅୟୋଜନ ପାଇଁ ସରକାର ପକ୍ଷରୁ ୨ କୋଟି ଟଙ୍କା ଅନୁଦାନ ଦିଆଯାଉଥିଲା। କିନ୍ତୁ ଏହି ବର୍ଷଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉତ୍ସବ ପାଇଁ ୧୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ। ଏହି ସାହାଯ୍ୟ ଫଳରେ ମେଳା ଅଞ୍ଚଳର ସୁବିଧା, ସୁରକ୍ଷା ଓ ଆକର୍ଷଣ ଆହୁରି ବଢ଼ିଛି।

Leave a Reply

Your email address will not be published. Required fields are marked *