ନ୍ୟୁଜ ଡେକ୍ସ : ଦିଲ୍ଲୀ ବିସ୍ଫୋରଣକୁ ନେଇ ଏବେ ସାମ୍ନାକୁ ଆସିଛି ଚମକପୂର୍ଣ୍ଣ ତଥ୍ୟ। ଗୁଇନ୍ଦା ସୂତ୍ର ଅନୁଯାୟୀ, ଏହି ବିସ୍ଫୋରଣ ଆତ୍ମଘାତୀ ନୁହେଁ, ବରଂ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ବେଳେ ଭୁଲବଶତଃ ବିସ୍ଫୋରଣ ଘଟିଥିଲା। ଏହା ଫଳରେ ଏକ ବଡ଼ ଦୁର୍ଘଟଣା ଘଟି ଜନସାଧାରଣ ମଧ୍ୟରେ ଭୟ ଓ ଆତଙ୍କ ପ୍ରସାରିତ ହୋଇଛି।
ସୋମବାର ଦିନ ଦେଶବ୍ୟାପୀ ଭାବେ ଆତଙ୍କବାଦୀ ସନ୍ଦେହଜନକ ବ୍ୟକ୍ତିମାନଙ୍କ ଉପରେ ଯାଞ୍ଚ ଏବଂ ଚଢ଼ାଉ କରାଯାଇଥିଲା। ହରିୟାଣାର ଫରିଦାବାଦରୁ ୨,୯୦୦ କିଲୋଗ୍ରାମ ବୋମା ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜବତ ହୋଇଥିଲା, ଯାହା ଷଡଯନ୍ତ୍ରକାରୀମାନଙ୍କୁ ଆତଙ୍କିତ କରିଥିଲା। ଏହି ଚଢ଼ାଉ ପରେ ସେମାନେ ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ବିସ୍ଫୋରକ ସାମଗ୍ରୀ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଉଥିବା ବେଳେ ଆକସ୍ମିକ ଭାବେ ବିସ୍ଫୋରଣ ଘଟିଥିଲା ବୋଲି ତଦନ୍ତ ଏଜେନ୍ସୀ ଜଣାଇଛି।
ଏହି ମାମଲାରେ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏପର୍ଯ୍ୟନ୍ତ ଅନେକ ସନ୍ଦେହଜନକଙ୍କୁ ଗିରଫ କରିଛି। ଗିରଫ ହୋଇଥିବାମାନଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଡାକ୍ତର ସାଜିଦ ଅହମ୍ମଦ ଏବଂ ଡାକ୍ତର ଉମର। ସୂତ୍ର ଅନୁଯାୟୀ, ସାଜିଦ ଦୁଇ ଦିନ ତଳେ ବିବାହ କରିଥିଲେ ଓ ସେହିପରି ବିସ୍ଫୋରଣ ଷଡଯନ୍ତ୍ରର ମୁଖ୍ୟ ମାଷ୍ଟରମାଇଣ୍ଡ ବୋଲି ଧରାଯାଇଛି। ସେ ଫରିଦାବାଦର ଅଲଫଲା ୟୁନିଭରସିଟିରେ ସିନିଅର ରେଜିଡେଣ୍ଟ ଭାବେ କାମ କରୁଥିଲେ।ଅନ୍ୟପଟେ, ଉମର ନାମକ ଡାକ୍ତର କାର ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସେମଧ୍ୟ ଏହି ଷଡଯନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଥିଲେ।
ଉମରଙ୍କ ମୃତଦେହ ଚିହ୍ନଟ ପାଇଁ ତାଙ୍କ ମା’ଙ୍କ ଡିଏନଏ ନମୁନା ଗ୍ରହଣ କରାଯାଇଛି ଓ ଜମ୍ମୁ କଶ୍ମୀର ପୋଲିସ ଦିଲ୍ଲୀ ପୋଲିସକୁ ସେହି ନମୁନା ହସ୍ତାନ୍ତର କରିଛି।ଏହି ଘଟଣାକୁ ନେଇ ଗୃହ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଗୃହ ମନ୍ତ୍ରୀ ଅମିତ ଶାହ ସମସ୍ତ ଯାଞ୍ଚ ଏଜେନ୍ସୀ ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ଗୃହ ସଚିବ, ଏନଆଇଏ ଡିଜି ସହିତ ଅନେକ ଶୀର୍ଷ ଅଧିକାରୀ ଉପସ୍ଥିତ ଥିଲେ। ଗୃହ ମନ୍ତ୍ରଣାଳୟ ଏହି ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରିଛି।

