ନ୍ୟୁଜ ଡେକ୍ସ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି)–୨୦୨୫ ଆଗାମୀ ୧୭ ଡିସେମ୍ବର ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ — ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର–୧ ଓ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର–୨ ହେବ ବୋଲି ବୋର୍ଡ ପକ୍ଷରୁ ଜଣାଇଯାଇଛି।ଓଟିଇଟି ଅନଲାଇନ୍ ଫର୍ମ ପୂରଣ ପ୍ରକ୍ରିୟା ଆସନ୍ତାକାଲି (ବୁଧବାର) ଠାରୁ ଆରମ୍ଭ ହୋଇ ନଭେମ୍ବର ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ।
ଫିସ୍ ଦାଖଲ ପାଇଁ ସମୟ ନଭେମ୍ବର ୨୬ ରାତି ୧୧.୪୫ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ବୋର୍ଡ ସ୍ପଷ୍ଟ କରିଛି ଯେ, ଏହି ସମୟ ସୀମା ଆଉ ବଢ଼ାଯିବ ନାହିଁ। ପରୀକ୍ଷା ସଂପର୍କିତ ସମସ୍ତ ତଥ୍ୟ ଓ ବିବରଣୀ ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ହେବ।ସେହିପରି, ଆଡ୍ମିଟ୍ କାର୍ଡ ଡିସେମ୍ବର ୧୦ ତାରିଖରୁ ଅନଲାଇନ୍ ମାଧ୍ୟମରେ ଡାଉନଲୋଡ୍ କରିପାରିବେ ପରୀକ୍ଷାର୍ଥୀମାନେ।ବୋର୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି କୌଣସି ପରୀକ୍ଷାର୍ଥୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଭୁଲ କିମ୍ବା ମିଥ୍ୟା ବୋଲି ପ୍ରମାଣିତ ହୁଏ, ତେବେ ସେମାନଙ୍କ ଆବେଦନ ଅଗ୍ରାହ୍ୟ କରାଯିବ ଏବଂ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।ପରୀକ୍ଷାର୍ଥୀମାନେ ଅନଲାଇନ୍ ଫର୍ମ ପୂରଣ ସମୟରେ ନିଜ ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି ଓ ପରୀକ୍ଷା ବିଷୟ ସଠିକ ଭାବେ ଭରିବା ଆବଶ୍ୟକ, କାରଣ ପରେ ସେମାନଙ୍କୁ ଏହି ତଥ୍ୟ ବଦଳାଇବାର ଅବସର ମିଳିବ ନାହିଁ।
ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି — “ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ସଜାଗ ରହି, ନିଜ ସମସ୍ତ ତଥ୍ୟ ଯାଞ୍ଚ କରି ଦେବା ଆବଶ୍ୟକ। କୌଣସି ତ୍ରୁଟି ରହିଲେ ଆବେଦନ ଅସ୍ୱୀକୃତ ହେବ।”ଓଟିଇଟି ପରୀକ୍ଷା ଦେଶରେ ଶିକ୍ଷକ ଭର୍ତ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନାଯାଏ। ଏହି ପରୀକ୍ଷା ଉତ୍ତୀର୍ଣ୍ଣ କରିଥିବା ଅଭିଯୋଗୀମାନେ ପରବର୍ତ୍ତୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅଂଶ ନେଇପାରିବେ।

