ନ୍ୟୁଜ ଡେକ୍ସ : ରାଜ୍ୟରେ ଜାଡର ପ୍ରକୋପ ଦିନକୁ ଦିନ ବଢ଼ୁଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୭ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମ ରହିଛି। ସେହିଭଳି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ମଧ୍ୟ ରାତି ପାରଦ ୩ରୁ ୪ ଡିଗ୍ରୀ ଯାଏ ଖସିଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ଦାରିଙ୍ଗବାଡିରେ ରାଜ୍ୟର ସବୁଠୁ କମ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ଏହାସହିତ ଉଦୟଗିରିରେ ପାରଦ ଖସି ୮.୭ ଡିଗ୍ରୀ ସେଲସିୟସ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୧୫.୫ ଡିଗ୍ରୀ ଓ ଶିଳ୍ପନଗରୀ କଟକରେ ୧୫.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାଯାଇଛି ଯେ ଆସନ୍ତା ୫ ଦିନ ମଧ୍ୟରେ ଉଭୟ ଦିନ ଓ ରାତି ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ। ଏହି ସହିତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିପାରେ ବୋଲି ଆକଳନ ହୋଇଛି।
ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଘନ କୁହୁଡି ରେକର୍ଡ ହୋଇଛି। ବର୍ତ୍ତମାନ ରାଜ୍ୟରେ ଶୁଷ୍କ ବାୟୁ ପ୍ରଭାବିତ ହେଉଥିବାରୁ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାରଦ ଆହୁରି ୩ରୁ ୪ ଡିଗ୍ରୀ ସେଲସିୟସ ତଳକୁ ଖସିବା ସମ୍ଭାବନା ରହିଛି।ପାଣିପାଗ ବିଭାଗ ନାଗରିକଙ୍କୁ ଜାଡରୁ ସାବଧାନ ରହିବା ଓ ରାତିରେ ଆବଶ୍ୟକ ପୋଶାକ ପିନ୍ଧିବା ପାଇଁ ସୁପାରିଶ କରିଛି।

