ନ୍ୟୁଜ ଡେକ୍ସ : ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଏସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରିଛନ୍ତି। ଜୁଲାଇ ୧୩ରେ ହୋଇଥିବା ଏହି ପରୀକ୍ଷାରେ ବୈଷୟିକ ଅନିୟମିତତା ଓ ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ ଜଣାପଡିବା ପରେ ହାଇକୋର୍ଟ ରେଜିଷ୍ଟ୍ରାର ଏହି ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ, ଏଏସଓ ପ୍ରିଲିମିନାରୀ ପରୀକ୍ଷାରେ ଯୋଗ୍ୟତା ହାସଲ୍ କରିଥିବା ୭,୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିଲେ। କିନ୍ତୁ ଏହି ପରୀକ୍ଷା ପରିଚାଳନା କରୁଥିବା ଏଜେନ୍ସିଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ହାଇକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ତାହା ପରେ ଆଧିକାରିକ ଭାବେ ବିଜ୍ଞପ୍ତି ଜାରି କରି ପରୀକ୍ଷାକୁ ରଦ୍ଦ କରାଯାଇଛି।ହାଇକୋର୍ଟ ଦ୍ୱାରା ନିର୍ଦ୍ଦିଷ୍ଟ ନୂଆ ସାନି ପରୀକ୍ଷା ଡିସେମ୍ବର ୭ ତାରିଖରେ ଆୟୋଜିତ ହେବ। ଏହି ପରୀକ୍ଷା ତିନୋଟି ସିଟିଂରେ ହେବ:
ପ୍ରଥମ ସିଟିଂ (ସକାଳ ୯ଟା – ୧୧ଟା): ଇଂରାଜୀ ବିଷୟ।
ଦ୍ୱିତୀୟ ସିଟିଂ (ମଧ୍ୟାହ୍ନ ୧୨ଟା – ଅପରାହ୍ନ ୧ଟା): ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ।
ତୃତୀୟ ସିଟିଂ (ଅପରାହ୍ନ ୨ଟା ୩୦ – ୪ଟା ୩୦): ଗଣିତ।
ପରୀକ୍ଷା ପାଇଁ ଆଶାୟୀ ମାନେ ନଭେମ୍ବର ୧୭ ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ନିଜ ଆଡ଼ମିଟ୍ କାର୍ଡ ହାଇକୋର୍ଟର ୱେବସାଇଟରୁ ଡାଉନଲୋଡ଼ କରିପାରିବେ।ଏହି ନିଷ୍ପତ୍ତି ପରେ ହଜାରୋ ଆଶାୟୀ ମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। କେହି ହାଇକୋର୍ଟଙ୍କ ସ୍ୱଚ୍ଛ ପରୀକ୍ଷା ପ୍ରଣାଳୀକୁ ସ୍ୱାଗତ କରିଥିବାବେଳେ, ଅନ୍ୟମାନେ ପୁନଃ ପ୍ରସ୍ତୁତି ଜନିତ ଚାପ ନେଇ ଚିନ୍ତିତ ହୋଇପଡିଛନ୍ତି।

