Wed. Feb 25th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ବିନା ପରମିଟ ଓ ଟିକସ ଦେଇ ବସ ଚଳାଇଥିବା ବାହାର ରାଜ୍ୟର କଲକାତା ବସମାନଙ୍କ ଉପରେ ପରିବହନ ବିଭାଗ ତୀବ୍ର ଅଭିଯାନ ଆରମ୍ଭ କରିଛି। “ରାଜ୍ୟ ବସ” ବୋଲି ଭୁଆଁ ଚିତ୍ର ତିଆରି କରି ସରକାରଙ୍କୁ ଠକୁଥିବା ଏହି ବସଗୁଡ଼ିକ ଉପରେ ଅବଶେଷରେ ହସ୍ତକ୍ଷେପ କରିଛି STA ଓ RTO ଏନଫୋର୍ସମେଣ୍ଟ ଟିମ୍‌ଗୁଡ଼ିକ।

ପରିବହନ ବିଭାଗ ମଧ୍ୟରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରେ WB41J9077, WB73G4486 ଓ WB76A9338 ନମ୍ବର ବାହାର ରାଜ୍ୟ ବସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବସଗୁଡ଼ିକ ନାହିଁ ପରମିଟ୍, ନାହିଁ ଟିକସ ତଥାପି ମନଇଚ୍ଛା ଯାତ୍ରୀ ଉଠାଇ ମନଇଚ୍ଛା ଭଡା ନେଉଥିଲେ।ଏହା ସହିତ, ପୁରୀ ଜିଲ୍ଲାର ମାଳତୀପାଟପୁର ବସଷ୍ଟାଣ୍ଡରେ ଆଜି ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ହଠାତ ଚଢ଼ାଉ କରି ଅସାଧୁ ବସ ମାଲିକମାନଙ୍କ ଅନେକ ଅନିୟମିତତା ପର୍ଦ୍ଦାଫାଶ କରିଛନ୍ତି। ପଶ୍ଚିମବଙ୍ଗର ୪ଟି ବସ ଶ୍ୟାମଳୀ ପରିବହନ, ଏକ୍ସପ୍ରେସ ଲାଇନ ଓ କାଲାସୋନା ନାମକ ବସଗୁଡ଼ିକ ଉପରେ ମୋଟ ୧୫ ଲକ୍ଷ ଟଙ୍କାର ଜରିମାନା କରାଯାଇଛି।

ପରିବହନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବସଗୁଡ଼ିକ ରାଜ୍ୟରେ କୌଣସି ଅନୁମତି ବିନା ଚଳାଇଯାଉଥିଲେ ଓ ସରକାରୀ ରେଭେନ୍ୟୁକୁ ଚକ୍ମା ଦେଉଥିଲେ। ବେଳେବେଳେ ଯାତ୍ରୀଙ୍କୁ କମ ଭଡା ନେଉଥିଲେ, ଆଉ ପର୍ବପର୍ବାଣୀ ସମୟରେ ଏହି ଭଡା ୩ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଉଥିଲା।STA, Odisha ଓ RTO ଟିମ୍‌ମାନଙ୍କ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଆଗାମୀ ଦିନରେ ଆଉ ତୀବ୍ର କରାଯିବ ବୋଲି ବିଭାଗ ସୂତ୍ର ଜଣାଇଛି। ପରିବହନ ବିଭାଗ ସ୍ପଷ୍ଟ କରିଛି ନିୟମ ଭାଙ୍ଗୁଥିବା କୌଣସି ବସକୁ ଛାଡ଼ା ଯିବ ନାହିଁ।

Leave a Reply

Your email address will not be published. Required fields are marked *