Wed. Feb 25th, 2026

ନ୍ୟୁଜ ଡେକ୍ସ : ନୂଆପଡା ବିଧାନସଭା ଉପନିର୍ବାଚନରେ ବିଜେପି ବହୁତ ମୋଟା ଭୋଟ ବ୍ୟବଧାନରେ ବମ୍ପର ବିଜୟ ହାସଲ କରିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧,୨୩,୮୬୯ ଭୋଟ ପାଇ ଇତିହାସ ସୃଷ୍ଟି କରିଛନ୍ତି। ସେ ୮୩,୭୪୮ ଭୋଟ୍ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପଛରେ ପକାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୪୦,୧୨୧ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ମାତ୍ର ୩୮,୪୦୮ ଭୋଟ୍ ସହ ତୃତୀୟ ସ୍ଥାନକୁ ଖସିଛନ୍ତି।

ଏହା ପ୍ରଥମ ଥର ଯେ ବିଜେଡି ନୂଆପଡାରେ ତୃତୀୟ ସ୍ଥାନରେ ଅବତରଣ କରିଛି।ଏହି ବିଜୟ ସହ ନୂଆପଡା ପୁଣିଥରେ ବିଜେପି ଖାତାକୁ ଫେରିଆସିଛି। ୨୦୦୦ ଓ ୨୦୧୪ରେ ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିବା ପରେ, ବହୁ ବର୍ଷ ପରେ ଏବେ ପୁଣି ବିଜେପି ଏହି ଆସନକୁ ଦଖଲ କରିଛି। ଅନ୍ୟପଟେ, ବିଜେଡି ଯାହା ୨ଥର ଏହି ଆସନରୁ ବିଜୟୀ ହୋଇଥିଲା, ସେମାନଙ୍କ ପାଇଁ ଏଯାନ୍ତର ସବୁଠୁ ବଡ଼ ବିଫଳତା ରହିଛି।ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ହୋଇଥିବା ଏହି ଉପନିର୍ବାଚନରେ, ତାଙ୍କ ପୁଅ ଜୟ ଢୋଲକିଆ ନୂଆପଡା ଲୋକଙ୍କୁ ନୂଆ ଭରସା ଦେଇଛନ୍ତି। ବିଜେଡି ଛାଡି ଉପନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିବା ଜୟ ଢୋଲକିଆ ନିର୍ବାଚନରେ ପ୍ରବଳ ଭାବେ ଆଗୁଆଡ଼ି ଯାଇ ସପ୍ରମାଣ କରିଛନ୍ତି ଯେ ନୂଆପଡାରେ ପରିବର୍ତ୍ତନର ପବନ ବହୁଛି।

ଜୟଙ୍କ ପିତା ରାଜେନ୍ଦ୍ର ଢୋଲକିଆ ୨୦୨୪ରେ ୬୧,୮୨୨ ଭୋଟ୍ ପାଇଥିଲେ। କିନ୍ତୁ ମାତ୍ର ୧୩ଟି ରାଉଣ୍ଡରେ ହିଁ ଜୟ ସେହି ରେକର୍ଡକୁ ଅତିକ୍ରମ କରି ୬୩ ହଜାରରୁ ଅଧିକ ଭୋଟ୍ ଆହରଣ କରିଥିଲେ। ବିଜୟ ପରେ ଜୟ ଢୋଲକିଆ କହିଛନ୍ତି—“ଏହା ନୂଆପଡାବାସୀଙ୍କ ବିଜୟ। ନୂଆପଡାର ବିକାଶ ପାଇଁ ଜନସାଧାରଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱକୁ ସମର୍ଥନ କରିଛନ୍ତି। ଏପରି ବିପୁଳ ସମର୍ଥନ ପାଇଁ ମୁଁ ଋଣୀ ଏବଂ ନୂଆପଡାବାସୀଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରୁଛି।”ଏହି ବମ୍ପର ଜୟ ସହ ନୂଆପଡାର ରାଜନୈତିକ ସମୀକରଣରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଆଗାମୀ ଦିନରେ ଏହି ବିଜୟ କିପରି ବିକାଶ ମୁହାଁ ଦେଉଛି ତାହା ଦେଖିବାକୁ ସବୁଙ୍କ ଦୃଷ୍ଟି ରହିବ।

Leave a Reply

Your email address will not be published. Required fields are marked *