ନ୍ୟୁଜ ଡେକ୍ସ : ସଡ଼କ ଦୁର୍ଘଟଣା ଏବଂ ତଦ୍ଜନିତ ମୃତ୍ୟୁ ସଂଖ୍ୟାକୁ କମାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନଭେମ୍ବର ୧୬ରୁ ୩୦ ପର୍ଯ୍ୟନ୍ତ ‘ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ପକ୍ଷ’ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟସୀମାରେ ଚାରିଟି ‘ଇ’ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଡ୍ୟୁକେସନ୍ ଓ ଏମର୍ଜେନ୍ସି କେୟାରକୁ ବିଶେଷ ପ୍ରାଧାନ୍ୟ ଦିଆଯିବ।
ବାଣିଜ୍ୟ ଓ ପରିବହନ ବିଭାଗ ଅନୁଯାୟୀ, ଏହି ସମୟରେ ସଡ଼କ ନିୟମ ଉଲଂଘନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ, ଧରପକଡ଼ ଓ ଏନଫୋର୍ସମେଣ୍ଟ ଟିମ୍ମାନଙ୍କ ନିୟମିତ ତଦାରଖ ବଢ଼ାଯିବ। ଜନସମାଗମ ଅଞ୍ଚଳ, ଟ୍ରାଫିକ ପୋଇଣ୍ଟ, ବଜାର, ମଲ୍ ଓ ଶିକ୍ଷାନୁଷ୍ଠାନ ସମୀପରେ ବିଶେଷ ନିରୀକ୍ଷଣ ହେବ।ବେପରୁଆ ଡ୍ରାଇଭିଂ, ଅତିଗତି, ମଦ୍ୟପାନ କରି ଗାଡ଼ି ଚାଳନା, ହେଲମେଟ୍ ବା ସିଟ୍ବେଲ୍ଟ୍ ନ ପହିରିବା ଏବଂ ଅନ୍ୟ ମୋଟର ଯାନ ଆଇନ ଉଲଂଘନକୁ ଗୁରୁତ୍ୱର ସହ ପରିବେଷଣ କରାଯିବ।
ଏଥିସହରେ, ସଡ଼କରେ ଥିବା ଦୁର୍ଘଟଣାପ୍ରବଣ ‘ବ୍ଲାକ୍ ସ୍ପଟ୍’ ସ୍ଥାନଗୁଡ଼ିକରେ ବିଶେଷ ନଜର ରଖି, ତ୍ରୁଟି ସଂଶୋଧନ ଏବଂ ଆବଶ୍ୟକ ସାଇନେଜ୍ ଲଗାଇବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଓ ବେସରକାରୀ ସଂଗଠନ ମିଳିତ ଭାବେ ସଚେତନତା ଅଭିଯାନ ଚାଲାଇବା ସହିତ, ସଡ଼କ ଦୁର୍ଘଟଣା ଆହତମାନଙ୍କୁ ତ୍ୱରିତ ସହାୟତା ପହଞ୍ଚାଇ ଜୀବନରକ୍ଷା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯିବ। “ପ୍ରତିଟି ଜୀବନ ମୂଲ୍ୟବାନ, ଗୋଟିଏ ବି ମୃତ୍ୟୁ ବହୁତ ଅଧିକ,” ସନ୍ଦେଶକୁ ସମସ୍ତଙ୍କ ନିକଟକୁ ପହଞ୍ଚାଇବା ଉଦ୍ଦେଶ୍ୟ ରଖାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ଅଭିଯାନକୁ ମଧ୍ୟ ଏହି ସମୟରେ ବିଶେଷ ଭାବରେ ପ୍ରଚାର କରାଯିବ। ପ୍ରଥମେ ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ବାତ୍ୟା ‘ମୋନ୍ଥା’ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାରିଖକୁ ପରିବର୍ତ୍ତନ କରି ନଭେମ୍ବର ୧୬–୩୦ କରାଯାଇଛି।ରାଜ୍ୟ ସରକାର ଆଶା କରୁଛି ଯେ, ଏହି ବିଶେଷ ପଦକ୍ଷେପ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟାକୁ ଗୁରୁତ୍ୱର ସହ କମାଇବ।

