ନ୍ୟୁଜ ଡେକ୍ସ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ, ସୁଦୃଢ଼ ଓ ଗୁଣାତ୍ମକ ତଳରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଗଢ଼ିଉଠୁଥିବା ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ ଯୋଜନାର ଲୋଗୋ ଆଜି ଲୋକସେବା ଭବନରେ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋକୁ ଉନ୍ମୋଚନ କରି ଶିକ୍ଷାର ଗୁଣୋନ୍ନତି ପ୍ରତି ସରକାରଙ୍କ ଅଟୁଟ ସଂକଳ୍ପକୁ ପୁନରୁଚ୍ଚାରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ପିଲାଙ୍କୁ ଆଧୁନିକ ଓ ଗୁଣାତ୍ମକ ଶିକ୍ଷା ଦେବା ସହିତ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବାରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ଣ୍ଣାୟକ ଭୂମିକା ନେବ।” ଉକ୍ତ ବୈଠକର ଆଲୋଚନାରୁ ଜଣାପଡିଛି ଯେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଚାରି ବର୍ଷ, ଅର୍ଥାତ୍ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହା ଖର୍ଚ୍ଚ କରାଯିବ । ଏହି ବିଦ୍ୟାଳୟଗୁଡ଼ିକ ଗ୍ରାମପଞ୍ଚାୟତର ଏପରି ଏକ ଗ୍ରାମରେ ସ୍ଥାପିତ କରାଯିବ ଯେଉଁଠାରେ ଅନୁନ୍ୟ ୫ ଏକର ଜମି ଉପଲବ୍ଧ ଥିବା ସହିତ ଯେଉଁଠାକୁ ଗମନାଗମନ ସୁବିଧା ଥିବ।
ପଞ୍ଚାୟତର ମଧ୍ୟ ସ୍ଥଳରେ ଅନ୍ୟୁନ ୫ ଏକର ଜମି ଉପଲବ୍ଧ ଥିବା ସର୍ବବୃହତ ଗ୍ରାମକୁ ପ୍ରାଥମିକତା ଦିଆଯିବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଲୋଗୋ ଓଡ଼ିଆ ସଂସ୍କୃତିକୁ ବହନ କରୁଛି । ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ବହନ କରୁଛି । ଏହି ‘ଲୋଗୋ’ ଶିକ୍ଷାର ମହତ୍ଵ ଓ ଭୂମିକାକୁ ପ୍ରତିଫଳିତ କରୁଛି। ‘ଲୋଗୋ’ର ମଧ୍ୟ ଭାଗରେ ଏକ ଖୋଲା ପୁସ୍ତକ ଓ ଏକ କଲମ ମୁନ ରହିଛି । ଖୋଲା ପୁସ୍ତକ ଶିକ୍ଷା ଏବଂ ବୌଦ୍ଧିକ ଶକ୍ତିର ଜାଗରଣକୁ ବୁଝାଏ ଏବଂ କଲମ ମୁନ ସୃଜନଶୀଳତା ଓ ପ୍ରକାଶନକୁ ପ୍ରତିନିଧିତ୍ଵ କରେ । କଲମ ମୁନର ଉପରିଭାଗରେ ଜଳୁଥିବା ମଶାଲ୍, ଜ୍ଞାନ ଓ ସତ୍ୟର ପ୍ରତୀକ, ଯାହା ଅଜ୍ଞାନତା ଦୂର କରିଥାଏ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ । ଏହା ଆମ ଛାତ୍ରଛାତ୍ରୀଙ୍କ ସ୍ଵପ୍ନକୁ ଜାଗରିତ କରିବ । ମଶାଲ୍ ଚାରିପାଖରେ ବିଛୁରିତ ହେଉଥିବା କିରଣ ନୈତିକ ଆଲୋକର ପ୍ରତୀକ ।
‘ଲୋଗୋ’ର ବୃତ୍ତାକାର ରୂପ ଏକତା, ଅନ୍ତର୍ଭୁକ୍ତି ଏବଂ ସମନ୍ୱୟକୁ ବୁଝାଏ । ଲୋଗୋରେ ଥିବା ତିନୋଟି ତାରା – ଜ୍ଞାନ, ଚରିତ୍ର ଓ ସେବାକୁ ପ୍ରତିନିଧିତ୍ଵ କରେ। ଏଥିରେ ବ୍ୟବହୃତ ରଙ୍ଗ ସବୁ ବି ଗଭୀର ଅର୍ଥ ବହନ କରେ । ଲୋଗୋ ଚାରିପାଖରେ ଓଡ଼ିଆ ଲିପିରେ ଲିଖିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଆମ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ଫଳରେ ଉକ୍ତ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଏବଂ ଶିକ୍ଷଣ ପରିବେଶରେ ଉନ୍ନତି ଆସିବ ।
ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ ଏବଂ କ୍ରୀଡ଼ା ଉପକରଣ ଭଳି ସୁବିଧା ସେହି ବିଦ୍ୟାଳୟରେ ଉପଲବ୍ଧ ହେବ। ପ୍ରତ୍ୟେକ ପିଲାଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦକ୍ଷତାରେ ନିପୂଣ କରିବା ସହିତ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସେମାନଙ୍କର ସାମଗ୍ରୀକ ବିକାଶ କରାଇବା ଏହି ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ମୂଳ ଉଦ୍ଦେଶ୍ୟ । ଚଳିତ ବଜେଟରେ ଯେଉଁ ପ୍ରାବଧାନ କରାଯାଇଛି ଏବଂ ଏହି ସମ୍ବନ୍ଧରେ କ୍ଯାବିନେଟରେ ଯେଉଁ ନିଷ୍ପତ୍ତି ଗ୍ରହଣ କରା ଯାଇଛି, ତାକୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ଯାନ୍ୱୟନ କରାଯିବା ଆବଶ୍ୟକ।

