ନ୍ୟୁଜ ଡେକ୍ସ : ମାଧ୍ୟମିକ ଶିକ୍ଷା ପରିଷଦ ଆଜି ସ୍ୱତନ୍ତ୍ର ଓଟିଇଟି (OTET) ପରୀକ୍ଷାର ଫଳ ପ୍ରକାଶ କରିଛି। ମୋଟ ୭୨,୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବାବେଳେ, ଏଥିରୁ ୪୮,୧୫୩ ଜଣ ପାସ୍ କରିଛନ୍ତି। ସମୁଦାୟ ପାସ୍ହାର ୬୬.୫୦ ପ୍ରତିଶତ ରହିଛି।ଏହି ପରୀକ୍ଷା ସେପ୍ଟେମ୍ବର ୨୭ ରେ ରାଜ୍ୟର ୧୯୩ଟି କେନ୍ଦ୍ରରେ ଆୟୋଜିତ ହୋଇଥିଲା। ପରୀକ୍ଷା ପେପର–୧ ଓ ପେପର–୨ ଦୁଇଟି ପତ୍ରରେ ହୋଇଥିଲା।
ପରୀକ୍ଷାର୍ଥୀମାନେ www.bseodisha.ac.in ଲିଙ୍କକୁ ଯାଇ ନିଜ-ନିଜ ମାର୍କ ଯାଞ୍ଚ କରିପାରିବେ। ସୂଚନା ଅନୁସାରେ, ଏଥର ଓଟିଇଟି ପରୀକ୍ଷା ପାଇଁ ମୋଟ ୭୫,୪୦୪ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲ୍–ଅପ୍ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପରୀକ୍ଷା ଦୁଇଥର ବାତିଲ ହୋଇଥିଲା। ପ୍ରଶ୍ନପତ୍ର ପ୍ରଘଟ ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଚର୍ଚ୍ଚାରେ ଥିଲା।
ଏହି ଦୁର୍ନୀତି ମାମଲାରେ ପରିଷଦର ଉପ ସଭାପତି ସହିତ ଅନେକ ଅଧିକାରୀ, କର୍ମଚାରୀ ଓ ଶିକ୍ଷକ ଗିରଫ ହୋଇଥିବା ପୋଲିସ ସୂତ୍ର ଜଣାଇଛି।ଓଟିଇଟି ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସନ୍ତୋଷ ସହ ନିଶ୍ୱାସ ଚାଲିଛି। ପରୀକ୍ଷା ଦୁଇଥର ବାତିଲ ହୋଇଥିବାରୁ ସେମାନେ ଅସୁବିଧାରେ ପଡ଼ିଥିଲେ। ଅବଶେଷରେ ଫଳ ପ୍ରକାଶିତ ହେବାରୁ ଅନେକଙ୍କ ଅପେକ୍ଷାର ଶେଷ ହୋଇଛି।

