Thu. Feb 26th, 2026

ନ୍ୟୁଜ ଡେକ୍ସ : କନ୍ଧମାଳ ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନ ଦିନକୁ ଦିନ ଜୋରଦାର ହୋଇଯାଉଛି। ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ, କନ୍ଧମାଳ ପୋଲିସ ମାଓବାଦୀ ଦମନରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରୁଛି। ନିକଟ ଅତୀତରେ ଅନେକ କ୍ୟାଡର ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଥିବାବେଳେ ଅନେକେ ପୋଲିସଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି।

ଏହି କ୍ରମରେ ଆଜି ପୁଣି ଏକ ମାଓବାଦୀ ଦମ୍ପତି ସମାଜର ମୂଖ୍ୟ ଧାରାକୁ ଫେରିବା ପାଇଁ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ ସୁକମା ଜିଲ୍ଲାର ପାରଲାଗାଟା ଗ୍ରାମର ଉଙ୍ଗା କଲମା ଓରଫ କିଶୋର (୨୫) ଏବଂ ସୁକମା ଜିଲ୍ଲାର କିଣ୍ଡରାମ ଗ୍ରାମର ମାସେ ମାଣ୍ଡଭୀ (୨୨)। ଏହି ଦମ୍ପତି ୨୦୧୮ ମସିହାରେ ଲାଲ ବାହିନୀରେ ଯୋଗଦେଇ ବାଶଧାରା, ଘୁମୁସର, ନୟାଗଡ଼ (BGN) ବିଭାଗରେ ଗତିବିଧି କରୁଥିଲେ। ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଜାଣିଥିଲେ ଯେ, ଏମାନେ ଦକ୍ଷିଣ–କେନ୍ଦ୍ର ଓଡିଶା ମାଧ୍ୟମରେ ଲାଲବାହିନୀର ଉତ୍ତର–ଦକ୍ଷିଣ କରିଡରକୁ ପୁନଃ ସକ୍ରିୟ କରିବା ପାଇଁ କାମ କରୁଥିଲେ।

ଏହାସହିତ ରାଜ୍ୟର ଅନେକ ସ୍ଥାନରେ ଘଟିଥିବା ମାଓ କାର୍ଯ୍ୟକଳାପରେ ଏମାନଙ୍କ ଜଡିତ୍ୱ ପାଇଯାଇଥିବା କଥା କନ୍ଧମାଳ ଏସପି ହରିଣ ବି ସି କହିଛନ୍ତି।ମାଓ ସଙ୍ଗଠନର ମିଥ୍ୟା ପ୍ରତିଶ୍ରୁତି, ହିଂସାତ୍ମକ କାର୍ଯ୍ୟକଳାପ, ନିର୍ଯାତନା, ଏବଂ ବିକାଶ ବିରୋଧୀ ମନୋଭାବ ପ୍ରତି ବୀରକ୍ତ ହୋଇଥିବା ସହିତ ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପୁନର୍ବାସ ପ୍ୟାକେଜରେ ପ୍ରଭାବିତ ହୋଇ ସଙ୍ଗଠନ ଛାଡିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।କନ୍ଧମାଳ ପୋଲିସ ଏହି ଆତ୍ମସମର୍ପଣକୁ ମାଓବାଦୀ ବିରୋଧୀ ଅଭିଯାନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି ମନେ କରୁଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଅଧିକାଙ୍କୁ ମୂଖ୍ୟସ୍ରୋତକୁ ଆଣିବା ନେଇ ଅଭିଯାନ ଜାରି ରହିବ।

Leave a Reply

Your email address will not be published. Required fields are marked *