ନ୍ୟୁଜ ଡେକ୍ସ : ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଶନିବାର ପ୍ରଭାତି ଘଣ୍ଟାରେ ଘଟିଥିବା ଏକ ବିଭତ୍ସ ସଡକ ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ଘଟଣା ଜାତୀୟ ରାଜପଥ ୧୨୫ ର ବାଲେସର ନିକଟସ୍ଥ ଖାରି ବେରି ଗାଁ ନିକଟରେ ଘଟିଥିଲା।ସୂଚନା ଅନୁଯାୟୀ, ପ୍ରାୟ ୨୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇଯାଉଥିବା ଏକ ଟେମ୍ପୋ ରାମଦେବରାକୁ ଯାଉଥିଲା।
ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେଲର ନିୟନ୍ତ୍ରଣ ହରାଇ ଟେମ୍ପୋ ସହ ମୁହାଁମୁହିଁ ଧକ୍କା ଲାଗିଥିଲା। ଧକ୍କାର ଜୋର ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ଜୀବନ ନଷ୍ଟ ହୋଇଯାଇଥିଲା।ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ମୃତକ ଏବଂ ଆହତ ସମସ୍ତେ ଗୁଜରାଟର ବନାସକାଣ୍ଠା ଏବଂ ଧନସୁରା ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ଜଣାଇଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଟ୍ରେଲର ଡ୍ରାଇଭର ଅତ୍ୟଧିକ ଗତିରେ ଥିବାରୁ ନିୟନ୍ତ୍ରଣ ହରାଇଥିଲେ, ଯାହା ଦୁର୍ଘଟଣାର ପ୍ରମୁଖ କାରଣ। ପୋଲିସ ଟ୍ରେଲର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ପଡ଼ିଛି। ତୀର୍ଥଯାତ୍ରା ମଧ୍ୟରେ ଏପରି ଦୁଃଖଦ ଘଟଣା ଘଟିବାରୁ ଅଞ୍ଚଳରେ ଶୋକ ସନ୍ତାପର ପରିବେଶ ସୃଷ୍ଟି ହୋଇଛି।

