Thu. Feb 26th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB) ଦ୍ୱାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଟିମ୍ ଆଜି ବ୍ରହ୍ମପୁରରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ମାମଲା ସରକାରୀଭାବେ ସିବିଆଇଙ୍କୁ ଅମଲେଖାତ କରାଯାଇଛି।ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ କରୁଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ ରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିବା ପରେ କେନ୍ଦ୍ର ଏହାକୁ ମଞ୍ଜୁର କରିଥିଲା।

ଏହା ସମ୍ବନ୍ଧିତ ବିଜ୍ଞପ୍ତି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍‌ସନ୍‌ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଛି।ମାମଲା ସିବିଆଇ ହାତକୁ ଯିବା ସହିତ ରାଜ୍ୟ ରାଜନୈତିକ ଏବଂ ଅଧିକାରୀ ମହଲରେ ଚର୍ଚ୍ଚା ଓ ଛନକା ଦେଖାଦେଇଛି। ଏହି କେଳେଙ୍କାରୀ ପଛରେ ବହୁ ବଡ଼ ବଡ଼ିଆ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ ଜୋରଦାର ହେଉଛି। ପୂର୍ବତନ ସରକାର କାଳରେ ‘୧୦୦୦ କୋଟି ଟଙ୍କାର ଡିଲ୍’ ବିଷୟ ମଧ୍ୟ ଆଗକୁ ଆସିଥିଲା। ମାମଲାର ମାଷ୍ଟରମାଇଣ୍ଡ ଭାବେ ଚର୍ଚ୍ଚିତ ଶଙ୍କର ପୃଷ୍ଟିକୁ କ୍ରାଇମ୍‌ ବ୍ରାଞ୍ଚ ନେପାଳ ସୀମାରୁ ଗିରଫ କରିଥିଲା। ଗିରଫ ପରେ ଶଙ୍କର ଗଣମାଧ୍ୟମ ସମ୍ମୁଖରେ ଚମତ୍କାରକ ବକ୍ତବ୍ୟ ଦେଇଥିଲେ, କିନ୍ତୁ ପରେ ସେ ୟୁଟର୍ଣ୍ଣ ନେଇ କ୍ରାଇମ୍‌ ବ୍ରାଞ୍ଚକୁ ସହଯୋଗ କରିନଥିଲେ। ଅନ୍ୟ ମାଷ୍ଟରମାଇଣ୍ଡ ସୁରେଶ ନାୟକ, ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।

ଶଙ୍କର–ସୁରେଶ ମୁହାଁମୁହିଁ ଜେରାରେ ରାକେଟ୍‌ର ଗୁମର ଖୋଲିବ ବୋଲି ଆଶା କରାଯାଉଥିଲା, କିନ୍ତୁ ସେହିପରି କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିନଥିଲା।ଗତ ୮ ମାସ ମଧ୍ୟରେ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁଇଥର ବାତିଲ ହୋଇଥିଲା। ପ୍ରଥମେ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ମିଶାଇ ୧୧୭ ଜଣଙ୍କୁ ଗିରଫ କରାଯାଇଥିଲା। ପରେ କ୍ରାଇମ୍‌ ବ୍ରାଞ୍ଚ ଏହି ମାମଲା ନେଇ ୬ ଦଲାଲ ଓ ୨ ମାଷ୍ଟରମାଇଣ୍ଡକୁ ଧରିଥିଲା।ଏବେ ସିବିଆଇ ତଦନ୍ତ ଆରମ୍ଭ ହେବା ସହିତ ଏହି ହାଇପ୍ରୋଫାଇଲ୍ କେଳେଙ୍କାରୀର ଗୁମର ଖୋଲିବ ବୋଲି ଆଶା କରୁଛନ୍ତି ରାଜ୍ୟବାସୀ।

Leave a Reply

Your email address will not be published. Required fields are marked *