ନ୍ୟୁଜ ଡେକ୍ସ : ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖକୁ ସରକାରୀ ସୁବିଧା ପହଞ୍ଚାଇବା ନିମନ୍ତେ ୩ କିଲୋମିଟର ପାହାଡ଼ ଚଢ଼ି ଯାଇ ନନ୍ଦାହାଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) କ୍ଷୀରୋଦ ଚନ୍ଦ୍ର ସାହୁ ଏବେ ଚର୍ଚ୍ଚାରେ ଆସିଛନ୍ତି। ଜଗନ୍ନାଥପୁର ପଞ୍ଚାୟତର ଫୁଟଘର ଗାଁ, ଯେଉଁଠି କେବଳ ୫ଟି ପରିବାର ବସବାସ କରିଛନ୍ତି, ସେଠାରେ ସରକାରୀ ସେବା ସୁବିଧା ପହଞ୍ଚାଇବାକୁ ଏହି ଅସାଧାରଣ ପଦକ୍ଷେପ ନେଇଛନ୍ତି ବିଡିଓ।
୨୦୨୩ରେ ନନ୍ଦାହାଣ୍ଡି ବ୍ଲକରେ ବିଡ଼ିଓ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପରେ କ୍ଷୀରୋଦ ସାହୁ ଦୁର୍ଗମ ଫୁଟଘର ଗାଁକୁ ସ୍ୱୟଂ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ସେଥିଠାରୁ ଏପର୍ଯ୍ୟନ୍ତ ଗାଁବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଅନେକ ପଦକ୍ଷେପ ସେ ନେଇଥିଲେ ଏବଂ ନିଜ ପ୍ରତିଶ୍ରୁତି ପାଳନ କରି ଗାଁବାସୀଙ୍କ ବିଶ୍ୱାସ ଭାଜନ ହୋଇଛନ୍ତି।ଏବେ ପୁଣି ଥରେ ଗାଁରେ ନୂଆ କିଛି ସମସ୍ୟା ରହିଛି କି ଜାଣିବା ପାଇଁ ସେ ବ୍ଲକର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସହିତ ନେଇ ପାହାଡ଼ ଚଢ଼ି ଫୁଟଘର ଗାଁକୁ ପହଞ୍ଚିଥିଲେ। ସେଠାରେ ସମସ୍ତଙ୍କ ବ୍ୟକ୍ତିଗତ ସମସ୍ୟା ସହିତ ମୌଳିକ ସୁବିଧା ବିଦ୍ୟୁତ୍, ପାଣି, ରାସ୍ତା, ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କରେ ମଧ୍ୟ ସେ ପଚାରିବୁଝିଥିଲେ। ଫୁଟଘର ଗାଁକୁ ଯାଉଥିବା ପାହାଡ଼ିଆ ରାସ୍ତାର କିଛି ଅଂଶରେ ପୂର୍ବରୁ ରାସ୍ତା ନିର୍ମାଣ ହୋଇଥିବା ସତ୍ତେ, ଅବଶିଷ୍ଟ ରାସ୍ତା ଭାଗ ଅଧିକ ଦୁର୍ଗମ ରହିଛି।
ବିଡିଓ ସାହୁ ଗାଁବାସୀଙ୍କୁ ଜଣାଇଛନ୍ତି ଯେ ଅବଶିଷ୍ଟ ରାସ୍ତା ପାଇଁ ଅନୁଦାନ ମିଳିଯାଇଛି, ଏବଂ ସେଥିପାଇଁ ଶୀଘ୍ରେ କାମ ଆରମ୍ଭ ହେବ। ଏହାର ପରେ ଗାଁକୁ ଯାତାଯାୟ ସହଜ ହେବ ଏବଂ ସରକାରୀ ସୁବିଧା ତୁରନ୍ତ ପହଞ୍ଚିବ ବୋଲି ସେ ଭରସା ଦେଇଛନ୍ତି।ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସରକାରୀ ସେବାକୁ “ପାଦେ ପାଦେ” ପହଞ୍ଚାଇବାର ଏହି ପ୍ରୟାସରେ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରୁଛନ୍ତି।

