Thu. Feb 26th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଗାଡ଼ି ଚେକିଂ ପାଇଁ ପୋଲିସକୁ ଦିଆଯାଇଥିବା ଅଖଣ୍ଡ କ୍ଷମତା ବିରୋଧରେ ଡିସେମ୍ବର ୧ରୁ ଘରୋଇ ବସ୍ ଧର୍ମଘଟ ଆରମ୍ଭ ହେବାକୁ ଘୋଷଣା କଲା ଘରୋଇ ବସ୍ ମାଲିକ ସଂଘ। ରାଜ୍ୟର ୧୪ ହଜାରରୁ ଅଧିକ ଘରୋଇ ବସ ଏହି ଆନ୍ଦୋଳନରେ ସାମିଲ ହେବାକୁ ଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହେବାର ସମ୍ଭାବନା ରହିଛି।

ବସ୍ ମାଲିକ ସଂଘର ଅଭିଯୋଗ, ପୋଲିସଙ୍କୁ ମୋଟର ଭେହିକଲ ଆଇନର ବିଭିନ୍ନ ଦଫାରେ ଦିଆଯାଇଥିବା ଗାଡ଼ି ଯାଞ୍ଚ ଓ ଜରିମାନା ଲଗାଇବାର କ୍ଷମତା ଦୁରୁପଯୋଗକୁ ଆମନ୍ତ୍ରଣ ଦେବ। ସଂଘ ଦାବି କରିଛି ଯେ, ଏହା ପୋଲିସକୁ “ପୂର୍ବାପେକ୍ଷା ଅଧିକ କ୍ଷମତାଶାଳୀ ଓ ଅର୍ଥଶାଳୀ” କରିଦେବ।ପୂର୍ବରୁ ଏହି ସମସ୍ତ କାର୍ଯ୍ୟ ଗାଡ଼ି ଯାଞ୍ଚ, ଦଫା ଲାଗୁକରଣ, ଜରିମାନା ଆଦାୟ କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା। କିନ୍ତୁ ନୂତନ ନିୟମାବଳୀ ଅନୁସାରେ ଏହି କ୍ଷମତା ଓଡିଶା ପୋଲିସଙ୍କୁ ହସ୍ତାନ୍ତର ହେବାରୁ ବିଭିନ୍ନ ଗାଡ଼ି ମାଲିକ ସଂଘ ମଧ୍ୟ ବିରୋଧରେ ଏକତ୍ର ହୋଇଛନ୍ତି।

ଘରୋଇ ବସ୍ ମାଲିକ ସଂଘ ସରକାରଙ୍କୁ ଶୀଘ୍ର ଦାବିପତ୍ର ଦେବାକୁ ନିଷ୍ପତ୍ତି ନେଇଛି। ସଂଘର ନେତାମାନେ କହିଛନ୍ତି, ସରକାର ପୋଲିସକୁ ଏମଭି କ୍ଷମତା ଦେବା ବାପରେ ପୁନର୍ବିଚାର ନ କରିଲେ ଡିସେମ୍ବର ୧ରୁ ଅନିଶ୍ଚିତକାଳୀନ ଧର୍ମଘଟ ଅବଶ୍ୟମ୍ଭାବୀ।ଏହି ଧର୍ମଘଟ ହେଲେ ରାଜ୍ୟର ଦୈନିକ ଯାତ୍ରୀ, ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ଶ୍ରମଜୀବୀମାନେ ଦୁର୍ଭୋଗରେ ପଡ଼ିବା ନିଶ୍ଚିତ। ସରକାର ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ଅଧିକୃତ ପ୍ରତିକ୍ରିୟା ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *