Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏକାଧିକ ରୋଗରେ ପୀଡ଼ିତ ହୋଇ ସେ ଦିନକିଛି ଧରି ଭୁବନେଶ୍ବର ଏମ୍ସରେ ଭର୍ତ୍ତି ଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ସେ ପରଲୋକ ଗମନ କରିଥିଲେ।

ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ବରରୁ ଜନ୍ମମାଟି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳର ଡେଙ୍ଗ ଗାଁକୁ ନିଆଯାଇଛି। ବାଟଚାଳିରେ ଅନେକ ସ୍ଥାନରେ ଶତାଧିକ ପ୍ରଶଂସକ ଏବଂ ସାଧାରଣ ଲୋକ ତାଙ୍କ ମରଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଡେଙ୍ଗ ଗାଁ ପହଞ୍ଚିବା ସମୟରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ପରିବାର, ଆତ୍ମୀୟ-ସ୍ୱଜନ, ସହକର୍ମୀ ଏବଂ ସଙ୍ଗୀତ ଜଗତର ଅନେକ ସେଲିବ୍ରିଟି ହ୍ୟୁମାନଙ୍କ ଶେଷ ଦର୍ଶନ ପାଇଁ ଡେଙ୍ଗ ଗାଁକୁ ଯୋଗୁ ହୋଇଥିଲେ। ପରେ ମରଶରୀରକୁ ଟିଟିଲାଗଡ଼୍‌କୁ ନେଇଯାଇ ଅନ୍ତିମ ସଂସ୍କାରର ବ୍ୟବସ୍ଥା କରାଯାଉଛି।

ହ୍ୟୁମାନ ସାଗରଙ୍କ ପରଲୋକ ଖବର ପ୍ରଚାରିତ ହେବା ସହିତ ଏମ୍ସ ପରିସରରେ ସିନେ ଓ ସଙ୍ଗୀତ ଜଗତର ବହୁ କଳାକାର, ପରିଚିତ ବ୍ୟକ୍ତି ଏବଂ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ସମସ୍ତେ ତାଙ୍କ ସହ ବିତାଇଥିବା ସ୍ମୃତିକୁ ସେୟାର କରି ଭାବବିହ୍ୱଳ ହୋଇପଡ଼ିଥିଲେ।ହ୍ୟୁମାନ ସାଗରଙ୍କ ପରଲୋକକୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିପକ୍ଷ ନେତା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସେମାନେ ତାଙ୍କ ପରିବାରକୁ ସମବେଦନା ଜଣାଇ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟ ସୃଷ୍ଟି ହୋଇଥିବା କଥା କହିଛନ୍ତି।ଓଡ଼ିଆ ସଙ୍ଗୀତ ଜଗତରେ ଏକ ମହାନ ପ୍ରତିଭାକୁ ହରାଇବାରେ ସମଗ୍ର ରାଜ୍ୟ ଆଜି ଶୋକାକୁଳ।

Leave a Reply

Your email address will not be published. Required fields are marked *