Fri. Feb 27th, 2026

ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ପୋଲିସ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ସ୍କାମ୍‌କୁ ନେଇ ସିବିଆଇ ତଦନ୍ତ ଜୋରଦାର କରିଛି। ସମଗ୍ର ଘଟଣାକୁ ମୂଳରୁ ଖଙ୍ଗାଳିବାକୁ ସିବିଆଇ ନିଷ୍ପତ୍ତି ନେଇଥିବା ବେଳେ ଓଡିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି)କୁ ତଦନ୍ତର ମୁଖ୍ୟ କେନ୍ଦ୍ରବିଦୁ ଭାବରେ ଧରାଯାଇଛି।ସୂଚନା ଅନୁସାରେ, ୨୦୨୦ ମସିହାଠାରୁ ଓପିଆର୍‌ବିର ଦାୟିତ୍ୱ ରଖିଥିବା ୩ ଆଇପିଏସ୍ ଅଧିକାରୀଙ୍କୁ ସିବିଆଇ ସମନ ପଠାଇଛି।

ଏହି ତାଲିକାରେ ୨ଜଣ ବରିଷ୍ଠ ଏବଂ ଜଣେ କନିଷ୍ଠ ଅଧିକାରୀ ଅଛନ୍ତି। ସେମାନେ ଏସ୍‌ଆଇ ସ୍କାମ୍‌ରେ ସିଧାସଳଖ ଜଡିତ ନଥିବା ସତ୍ତେ ଗତ କେତେକ ବର୍ଷରେ ଯେପରି ନିଯୁକ୍ତି ପ୍ରକ୍ରିୟା ସରାଯାଇଛି, ସେସବୁ ବିଷୟରେ ସିବିଆଇ ପଚରାଉଚରା କରିପାରେ।ତଦନ୍ତକାରୀମାନେ ବିଶେଷତଃ ଲିଖିତ ପରୀକ୍ଷା ପାଇଁ କେଉଁ ସଂସ୍ଥା ପ୍ରଶ୍ନପତ୍ର ପ୍ରସ୍ତୁତ କଲା, ପୂର୍ବତନ ନିଯୁକ୍ତି ପ୍ରକ୍ରିୟାର ସେସବୁ ସଂସ୍ଥା ସହ ବର୍ତ୍ତମାନର କେଳେଙ୍କାରୀର କୌଣସି ସମ୍ପର୍କ ଅଛି କି ନାହିଁ – ତାହା ଖତିଆନ ନେବାରେ ଜୋର ଦେଉଛନ୍ତି। ଓପିଆର୍‌ବି ପକ୍ଷରୁ ନିଯୁକ୍ତି ପରୀକ୍ଷାର ଦାୟିତ୍ୱ କୋଲକାତାର ଆଇଟିଆଇ ଲିମିଟେଡ୍‌କୁ ଦିଆଯାଇଥିଲା। ପରେ ଏହି ସଂସ୍ଥା ପରୀକ୍ଷା ପରିଚାଳନାର ଦାୟିତ୍ୱ ସିଲିକନ ଟେକ୍ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍‌କୁ ହସ୍ତାନ୍ତର କରିଥିଲା।

ଆଇଟିଆଇର କିଛି ଅଧିକାରୀଙ୍କୁ ମଧ୍ୟ ସିବିଆଇ ଡାକି ପଚରିପାରେ ବୋଲି ସୂଚନା ମିଳିଛି।ଏପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସଠାରୁ ମାମଲାସନ୍ଧି ସମସ୍ତ କାଗଜପତ୍ର ସିବିଆଇ ନିକଟକୁ ପହଞ୍ଚିଛି। ଅଧିକାରୀମାନେ ସେଗୁଡିକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ଖୁବ୍ ଶୀଘ୍ର ସିବିଆଇର ଏକ ଟିମ୍ ବ୍ରହ୍ମପୁର ଯାଇ ଘଟଣାସ୍ଥଳ, ଜବ୍ତଦସ୍ତାବେଜ ଏବଂ ସାକ୍ଷୀଙ୍କୁ ଆଧାର କରି ତନାଘନା କରିବ।

ଅନ୍ୟ ଏକ ଟିମ୍ କୋଲକାତା ଯାଇ ଆଇଟିଆଇ ଏବଂ ସିଲିକନ ଟେକ୍ଲ୍ୟାବର ସମ୍ପୃକ୍ତ ଲୋକମାନଙ୍କୁ ପଚରାଉଚରା କରିପାରେ।ଏସ୍‌ଆଇ କେଳେଙ୍କାରୀ ମାମଲା ରାଜ୍ୟରେ ବିପୁଳ ଚର୍ଚ୍ଚା ସୃଷ୍ଟି କରିଥିବା ସମୟରେ ସିବିଆଇ ତଦନ୍ତର ଏହି ନୂଆ ପଦକ୍ଷେପ ମାମଲାକୁ ନୂଆ ମୋଡ଼ ଦେବାର ସମ୍ଭାବନା ଜନାଇଛି।

Leave a Reply

Your email address will not be published. Required fields are marked *