Sat. Feb 21st, 2026

ନ୍ୟୁଜ ଡେକ୍ସ : ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ଟ୍ରଫି ଜିତିବା ପାଇଁ ଭାରତ କ୍ରମାଗତ ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳତା ମିଳିପାରି ନାହିଁ। ସମ୍ପ୍ରତି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶ୍ରେଣୀରେ କ୍ଲିନ୍ ସୁଇପ‌ ହୋଇବା ପରେ ଟିମ୍ ଇଣ୍ଡିଆର ଫାଇନାଲ ପ୍ରବେଶ ଆଶା ଅଧିକ କଠିନ ହୋଇପଡ଼ିଛି।ବର୍ତ୍ତମାନ WTC ପଏଁଟ୍ ତାଲିକାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦୁଇଟି ସ୍ଥାନରେ ରହିଥିବା ବେଳେ, ଭାରତ ୫ମ ସ୍ଥାନକୁ ଖସି ଆସିଛି।

ଏହି ସାଇକେଲରେ ଭାରତ ମୋଟ ୧୮ଟି ଟେଷ୍ଟ ଖେଳିବାକୁ ଥିବା ବେଳେ, ଏପର୍ଯ୍ୟନ୍ତ ୯ଟି ଟେଷ୍ଟ ଖେଳି ସାରିଛି। ଏବେ ଭାରତ ନିକଟରେ ୪୮ ପ୍ରତିଶତ ପଏଁଟ୍ ରହିଛି।ଫାଇନାଲରେ ପ୍ରବେଶ ପାଇଁ ଟିମ୍ ଇଣ୍ଡିଆକୁ ଆସନ୍ତା ୯ଟି ଟେଷ୍ଟ ମଧ୍ୟରୁ କମ୍‌ରେ କମ୍‌ ୭ଟି ମ୍ୟାଚରେ ବିଜୟ ଆବଶ୍ୟକ। ଯଦି ଏହି ପର୍ଯ୍ୟାୟରେ ୩ଟି ମ୍ୟାଚ ହାରିଯାଏ, ତେବେ ଭାରତ ପୂର୍ଣ୍ଣ ଭାବେ ଫାଇନାଲ ଦୌଡ଼ରୁ ବାଦ ପଡ଼ିପାରେ। ଆସନ୍ତା ସମୟରେ ଭାରତ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ଶ୍ରେଣୀ ଖେଳିବ। ଏହି ସିରିଜକୁ ଭାରତର WTC ଭାଗ୍ୟ ନିର୍ଣ୍ଣୟକ ଭାବେ ଦେଖାଯାଉଛି। ଏହା ଛଡ଼ା ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ୨ଟି ଲେଖାଏଁ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିବ ଟିମ୍ ଇଣ୍ଡିଆ।ଗୋଟିଏପଟେ ଭାରତ ୨୦୨୧ ଓ ୨୦୨୩ ମସିହାର WTC ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ଉପବିଜେତା ହୋଇ ସନ୍ତୋଷ ମାନିଥିଲା।

ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାଜିତ କରି WTC ଚାମ୍ପିୟନ ହୋଇଥିଲା।ବର୍ତ୍ତମାନ ସ୍ଥିତିରେ ଟିମ୍ ଇଣ୍ଡିଆ ପାଇଁ ପ୍ରତ୍ୟେକ ମ୍ୟାଚ “କରିବା କିମ୍ବା ମରିବା” ସମାନ ହୋଇଯାଇଛି। ଆସନ୍ତା ସିରିଜରେ ଉତ୍ତମ ପ୍ରଦର୍ଶନ ନ କରିଲେ, ଭାରତର ତୃତୀୟଥର WTC ଫାଇନାଲ ପ୍ରବେଶ ସ୍ୱପ୍ନ ଅଧୂରା ରହିବା ପାଇଁ ଆଶଙ୍କା ବଢ଼ିଯିବ।

Leave a Reply

Your email address will not be published. Required fields are marked *