Fri. Feb 27th, 2026

ନ୍ୟୁଜ ଡେକ୍ସ :ଡିସେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ବସ୍‌ ବନ୍ଦ ଡାକରାକୁ ଘରୋଇ ବସ୍‌ ମାଲିକ ସଂଘ ପ୍ରତ୍ୟାହାର କରିଛି। ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ବଦଳାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଫଳସ୍ୱରୂପ ଡିସେମ୍ବର ୧ରୁ ରାଜ୍ୟରେ ବସ୍‌ ସେବା ସ୍ଥାଭାବିକ ଭାବେ ଚାଲିବ।ବସ୍‌ ଧର୍ମଘଟ ପ୍ରତ୍ୟାହାରର ପଛରେ ପ୍ରମୁଖ କାରଣ ହେଉଛି ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶ୍ୱାସନ ମିଳିବା।

ପରିବହନ ବିଭାଗ ସହ ଆଲୋଚନା ସମୟରେ ବସ୍‌ ମାଲିକ ସଂଘର ଦାବିକୁ ଗୁରୁତ୍ୱ ଦେଇ ସରକାର ପକ୍ଷରୁ ସମାଧାନ କରାଯାଇଥିବା ଜଣାପଡ଼ିଛି।ଉଲ୍ଲେଖନୀୟ ଯେ, ରାଜ୍ୟ ସରକାର ପୋଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେବାକୁ ଘୋଷଣା କରିଥିଲେ। ଏହାକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଥିଲେ ଯେ, ପୋଲିସକୁ ଯାଞ୍ଚ ଅଧିକାର ମିଳିଲେ ବସ୍‌ ମାଲିକମାନେ ଧର୍ମଘଟକୁ ଓହ୍ଲାଇବେ ଓ ଆନ୍ଦୋଳନ କରିବେ।

ସେ ସ୍ପଷ୍ଟ କରିଥିଲେ ଯେ, ଯେବେଠାରୁ ପୋଲିସ ଗାଡ଼ିମୋଟର ଯାଞ୍ଚ ଆରମ୍ଭ କରିବ, ସେବେଠାରୁ ଆନ୍ଦୋଳନ ହେବ। ହେଲେ, ପରିବହନ ବିଭାଗ ସହ ଦୀର୍ଘ ଆଲୋଚନା ପରେ ସରକାର ପକ୍ଷରୁ ସକାରାତ୍ମକ ଆଶ୍ୱାସନ ମିଳିବାରୁ ଘରୋଇ ବସ୍‌ ସଂଘ ତାଙ୍କ ନିଷ୍ପତ୍ତି ବଦଳାଇ ଧର୍ମଘଟ ପ୍ରତ୍ୟାହାର କରିଛି। ଏହି ନିଷ୍ପତ୍ତିରେ ସାଧାରଣ ଯାତ୍ରୀମାନେ ଭାରି ରାହାତ ପାଇଥିବା ସହ ସଡ଼କରେ ଯାତାୟାତ ସାଧାରଣ ରହିବାର ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *