ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକମାନଙ୍କ ଅଭିଯୋଗକୁ ନିର୍ଦ୍ଧାରିତ ସମୟସୀମା ଭିତରେ ସମାଧାନ ନକରିବାରୁ କଟକ ଜିଲ୍ଲାର ୯୧ ଜଣ ଅଧିକାରୀଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆଯାଇଛି। ନଭେମ୍ବର ମାସର ଦରମା ବନ୍ଦ କରିବା ପାଇଁ ଟ୍ରେଜେରୀ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ଔପଚାରିକ ଚିଠି ପଠାଯାଇଛି।
ଏହି ତାଲିକାରେ କଟକ ମୁନିସିପାଲ୍ କର୍ପୋରେସନ (ସିଏମସି) କମିଶନର, କଟକ ଡିସିପି, କଟକ ଗ୍ରାମାଞ୍ଚଳ ଏସ୍ପି, କଟକ ଉପଜିଲ୍ଲାପାଳ, ଆଠଗଡ଼ ଉପଜିଲ୍ଲାପାଳ, କଟକ ଆରଟିଓ, କଟକ ସିଡିଏମଓ, କଟକ ଡିଇଓ, ଅବକାରୀ ବିଭାଗ ସୁପରିଣ୍ଟେଡେଣ୍ଟ, ଟ୍ରାଫିକ ଆଇଆଇସି ସହ ବହୁ ବରିଷ୍ଠ ଅଧିକାରୀଙ୍କ ନାମ ରହିଛି।ଏଥିର ସହିତ ବାରଙ୍ଗ, ବଡ଼ମ୍ବା, ମାହାଙ୍ଗା, ନିଆଳି, ସାଲେପୁର ତହସିଲଦାର ଭଳି ଅନେକ ପ୍ରଶାସନିକ ଅଧିକାରୀ ମଧ୍ୟ ଦରମା ବନ୍ଦ ତାଲିକାରେ ସମ୍ମିଲିତ ହୋଇଛନ୍ତି।କଟକ ଜିଲ୍ଲାପାଳ ଏଥିପାଇଁ ଜିଲ୍ଲା ଟ୍ରେଜେରୀକୁ ଔପଚାରିକ ଚିଠି ଲେଖି ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଲୋକମାନଙ୍କ ଅଭିଯୋଗର ସମୟୋଚିତ ସମାଧାନ ନହେବା ଦ୍ୱାରା ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଏହିପରି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ କଟକ ଜିଲ୍ଲାର ବୁଦ୍ଧିଜୀବୀ ମହଲ, ସାଧାରଣ ଜନତା ଓ ସାମାଜିକ ସଂଗଠନମାନେ ବ୍ୟାପକ ଭାବେ ପ୍ରଶଂସା କରିଛନ୍ତି। ଲୋକମତ ଅନୁସାରେ, ଏହା ଦ୍ୱାରା ପ୍ରଶାସନରେ ଦାୟିତ୍ୱବୋଧ ବଢ଼ିବା ସହ ଆଗାମୀ ଦିନରେ ଅଭିଯୋଗ ସମାଧାନ ପ୍ରକ୍ରିୟା ଅଧିକ ଦ୍ରୁତ ଓ ସଫଳ ହେବ।

