ନ୍ୟୁଜ ଡେକ୍ସ :ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ତିନି ଯୁବକ ଏକ ସ୍କୁଟିରେ ଯାଉଥିବା ସମୟରେ ଏକ ଅଜଣା ତୀବ୍ରଗତି ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରକ୍ଷା ପାଇବାର କୌଣସି ସୁଯୋଗ ମିଳିନଥିବାବେଳେ ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କର ମୃତ୍ୟୁ ଘଟିଥିଲା।
ମୃତକ ଯୁବକମାନଙ୍କ ପରିଚୟ ହିସାବରେ ଢେଙ୍କାନାଳ ତୁମୁସିଂହା ଥାନା ମାଛିଆ ଗ୍ରାମର ମିଥୁନ ପାତ୍ର, କଟକ ମାହାଙ୍ଗା ଥାନା ଜଳେଶ୍ୱରପୁର ଗ୍ରାମର ଜଗନ୍ନାଥ ଦାଶ ଓ ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ କଞ୍ଜା ଗ୍ରାମର ସୁରେନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।ଘଟଣାର ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଁଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।
ଘଟଣାକୁ ନେଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ମାମଲା ରୁଜୁ କରି ଅଜଣା ଗାଡ଼ିଟିକୁ ଚିହ୍ନଟ କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଚଳାଇଛି। ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ପସରିଯାଇଥିବା ବେଳେ, ହିଟ୍-ଆଣ୍ଡ-ରନ୍ ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ରୋଷ ପ୍ରକାଶ ପାଇଛି।

