Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ ଜଗତର ଉଜ୍ୱଳ ତାରକା, ପ୍ରଖ୍ୟାତ କବି, ସଂଳାପ ଲେଖକ ଓ ଗୀତିକାର, ପଦ୍ମ ଭୁଷଣ ପୁରସ୍କାର ପ୍ରାପ୍ତ ଜାଭେଦ ଅଖତରଙ୍କୁ ତାଙ୍କର ଜୀବନବ୍ୟାପୀ ଓ ଉଲ୍ଲେଖନୀୟ ଅବଦାନ ପାଇଁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବ।

ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ଏହି ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ, ସୃଜନଶୀଳ ଓ ବୌଦ୍ଧିକ ଅବଦାନ ରଖିଥିବା ବିଶିଷ୍ଟ ସାହିତ୍ୟିକମାନଙ୍କୁ ପ୍ରଦାନ କରାଯାଇଥାଏ। ଜାଭେଦ ଅଖତରଙ୍କୁ ଏହି ସମ୍ମାନ ଦେଇ ସାହିତ୍ୟ ଓ ସିନେପର୍ଦ୍ଦାରେ ତାଙ୍କର ଅମୂଲ୍ୟ ସେବାକୁ ସ୍ୱୀକୃତି ଦିଆଯାଉଛି। ସମ୍ମାନ ଗ୍ରହଣ କରିବା ନିମନ୍ତେ ଜାଭେଦ ଅଖତର ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ। ଏନେଇ ସେ ନିଜେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇ ସୋଆ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଥିବା ସହ ସମ୍ମାନ ଗ୍ରହଣ କରିବାକୁ ଆସୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସାହିତ୍ୟ ଉତ୍ସବର ଆୟୋଜକ ଓ ଅଂଶଗ୍ରହଣକାରୀ ସମସ୍ତ କଳାକାର ଓ ସାହିତ୍ୟିକଙ୍କୁ ସେ ଅଗ୍ରିମ ଶୁଭେଚ୍ଛା ଜଣାଇଛନ୍ତି।

ଜାଭେଦ ଅଖତର ଜଣେ ପ୍ରତିଷ୍ଠିତ ସଂଳାପ ଲେଖକ, ଗୀତିକାର, କବି ଓ ଚିନ୍ତକ। ତାଙ୍କର ଲେଖନୀ ଆଧୁନିକ ଭାରତର ସାମାଜିକ ଓ ସାଂସ୍କୃତିକ ଚେତନାକୁ ସମୃଦ୍ଧ କରିଆସିଛି। ଭାରତୀୟ ସିନେମାକୁ ଅନେକ ସ୍ମରଣୀୟ ଗୀତ ଓ ସଂଳାପ ଦେଇ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ବିଶିଷ୍ଟ ଉର୍ଦ୍ଦୁ କବି ଓ ସଂଳାପ ଲେଖକ ଜାନ ନିସାର ଅଖତର ଏବଂ ଶିକ୍ଷୟତ୍ରୀ ତଥା ଲେଖିକା ସାଫିଆ ଅଖତରଙ୍କ ପୁଅ ହେଉଛନ୍ତି ଜାଭେଦ ଅଖତର। ପିଢି ପରେ ପିଢି ସେମାନଙ୍କ ପରିବାର ସାହିତ୍ୟ ସାଧନାରେ ଜଡିତ ରହିଛନ୍ତି।

ଜାଭେଦ ଅଖତର ୫ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୧୫ ଥର ଫିଲ୍ମଫେୟାର ପୁରସ୍କାରଜନିତ ସମ୍ମାନ ପାଇଥିବା ସହ ୧୯୯୯ରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମ ଭୁଷଣ ଏବଂ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।ତାଙ୍କ ପ୍ରସିଦ୍ଧ କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ଗ୍ରନ୍ଥ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଓ ବିଦେଶୀ ଭାଷାରେ ଅନୁଦିତ ହୋଇଛି।

ଭାରତୀୟ ସିନେମାର ‘ଶବ୍ଦର ଯାଦୁକର’ ଭାବେ ପରିଚିତ ଜାଭେଦ ଅଖତରଙ୍କ କୃତି ଏବେ ବି ଯୁବପିଢିକୁ ପ୍ରେରଣା ଦେଇଆସୁଛି।ସୋଆ ସାହିତ୍ୟ ସମ୍ମାନ ୨୦୨୫ ଅବସରରେ ତାଙ୍କୁ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି, ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଓ ଉତରୀୟ ପ୍ରଦାନ କରାଯିବ। ଏହି ସମ୍ମାନ ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ବିଶିଷ୍ଟ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇଥାଏ।

Leave a Reply

Your email address will not be published. Required fields are marked *