Sat. Feb 21st, 2026

ନ୍ୟୁଜ ଡେକ୍ସ :କାର୍ଯ୍ୟରେ ଅବହେଳା ଓ ବିନା ଅନୁମତିରେ ଅନୁପସ୍ଥିତ ରହିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି। ଏଥିରେ ୩ ଜଣ ପ୍ରଧାନଶିକ୍ଷକ ମଧ୍ୟ ଅନ୍ତର୍ଭୁକ୍ତ। ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଆଜି ସୂଚନା ନ ଦେଇ ହଠାତ୍‌ ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ୮ଟି ସ୍କୁଲରେ ଅଚାନକ ଗସ୍ତ କରିଥିଲେ।

ଯାଞ୍ଚ ସମୟରେ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟରେ ଅବହେଳା କରୁଥିବା ସହ ବିନା ଅନୁମତିରେ ଅନୁପସ୍ଥିତ ରହିଥିବା ଧରାପଡ଼ିଥିଲେ। ପୂର୍ବରୁ ଏହି ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲେ ମଧ୍ୟ ସେମାନେ ସନ୍ତୋଷଜନକ ଉତ୍ତର ଦେଇନଥିବାରୁ ଗୋଟିଏ ଦିନର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦରମା ବନ୍ଦ ହୋଇଥିବା ୧୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ହରଭଙ୍ଗା ବ୍ଲକର ୮ଟି ସ୍କୁଲରେ କାର୍ଯ୍ୟରତ ଥିଲେ। ସେହି ସ୍କୁଲଗୁଡ଼ିକ ହେଲା— ବଲଣ୍ଡା, ଖରସଙ୍କୁଲେଇ, ସାକୁସିଙ୍ଗା, କଣ୍ଟିଆ ପଦର, ଝାରଖମନ, ବାହାଲି, ସୁରୁଣ୍ଡି ଓ ଗୋଠାସାହି ସ୍କୁଲ।ଏହି ଘଟଣା ପରେ ସମ୍ବନ୍ଧିତ ଅଞ୍ଚଳରେ ଶିକ୍ଷା ବିଭାଗର କଡ଼ା ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର୍‌ ପକାଇଛି। ଆଗାମୀ ଦିନରେ ଏପରି ଅବହେଳାକୁ ବରଦାଷ୍ଟ କରାଯିବ ନାହିଁ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସତର୍କ କରିଛନ୍ତି।

Leave a Reply

Your email address will not be published. Required fields are marked *