ନ୍ୟୁଜ ଡେକ୍ସ : ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭ ପୂର୍ବରୁ ରବିବାର ଦିନ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶାସକ ଏବଂ ବିରୋଧୀ ଦଳର ସମସ୍ତ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ସରକାର ବିରୋଧୀ ଦଳର ସମସ୍ତ କଥାକୁ ଗୁରୁତ୍ୱ ସହିତ ଶୁଣିବ।
ସଂସଦର ସୁଗମ କାର୍ଯ୍ୟକାରିତା ଓ ସମନ୍ୱୟ ରଖିବା ପାଇଁ ସହଯୋଗ ଲୋଡ଼ାଯାଇଥିଲା।ସୂତ୍ର ଅନୁଯାୟୀ, ସର୍ବଦଳୀୟ ବୈଠକରେ SIR (ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା) ପ୍ରସଙ୍ଗ ସବୁଠାରୁ ଅଧିକ ପ୍ରାଧାନ୍ୟ ପାଇଥିଲା। କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ କ’ଣ ଘଟୁଛି ବୋଲି ପଚାରିଥିଲା। ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଅତ୍ୟନ୍ତ ଆକ୍ରମଣାତ୍ମକ ଭାବରେ ଏହି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିଥିଲେ।
ବୈଠକ ପରେ ଏହା ସ୍ପଷ୍ଟ ହୋଇଛି ଯେ ଆଗାମୀ ଅଧିବେଶନରେ SIR ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ତୀବ୍ର ହଙ୍ଗାମା ସୃଷ୍ଟି କରିପାରନ୍ତି। ଅଧିବେଶନର ୧୯ ଦିନ ମଧ୍ୟରେ ମୋଟ ୧୫ଟି ବୈଠକ ହେବାକୁ ଥିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପିତ ହେବ।ପରମାଣୁ ଶକ୍ତି ବିଲ୍ ସହିତ ଦଶଟି ନୂତନ ବିଲ୍ ଏହି ଅଧିବେଶନରେ ଆସିବାର ଆଶା କରାଯାଉଛି। ଏଥିସହିତ SIR ପ୍ରସଙ୍ଗକୁ କେନ୍ଦ୍ର କରି ସରକାର ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ମୁକାବିଲା ହେବାର ସମ୍ଭାବନା ଜୋର ଧରିଛି।

