Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନରେ ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଛି। ରାଜ୍ୟରେ ବସୁଥିବା ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଗଠନ ପରେ ଏଯାବତ ୫୧ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି।

ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶକୁ ତଡିପାର କରି ପଠାଯାଇଛି। ଜିଲ୍ଲାଭିତ୍ତିକ ଭିତ୍ତିରେ ଖୋର୍ଦ୍ଧାରୁ ୨୪ ଜଣ, କଟକରୁ ୧୫ ଜଣ, ଗଞ୍ଜାମରୁ ୬ ଜଣ, କନ୍ଧମାଳରୁ ୩ ଜଣ ଏବଂ କୋରାପୁଟରୁ ୧ ଜଣକୁ ତଡିପାର କରାଯାଇଛି। ଏହା ସହ ୨ ଜଣ ବାଂଲାଦେଶୀ ଜାଲ ପାସପୋର୍ଟ ସହ ଧରାପଡ଼ିଛନ୍ତି। ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି।ଅବୈଧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ୧୮ଟି ଜିଲ୍ଲାସ୍ତରୀୟ ଏବଂ ୨ଟି ରାଜ୍ୟସ୍ତରୀୟ ଅଟକ କେନ୍ଦ୍ର ଖୋଲାଯାଇଛି। ଏଯାବତ ୧୭୬୮ ଜଣ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି ଏବଂ ୫୧ ଜଣଙ୍କୁ ଅବୈଧ ଘୋଷଣା କରାଯାଇଛି। ସ୍ୱତନ୍ତ୍ର ଆପ୍‌ ଜରିଆରେ ଅନୁପ୍ରବେଶକାରୀ ଚିହ୍ନଟ କରାଯାଉଛି ଓ ବରିଷ୍ଠ ଗୁଇନ୍ଦା ଅଧିକାରୀମାନେ ସମ୍ଭାବ୍ୟ ଜିଲ୍ଲାଗୁଡ଼ିକୁ ପରିଦର୍ଶନ କରୁଛନ୍ତି।

ସେହିପରି ଜେଲ୍ ସୁରକ୍ଷାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି। ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲ୍‌ରୁ ୧୩ ଜଣ କଏଦୀ ଫେରାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ପୋଲିସ ପୁନର୍ବାର ଧରିପାରିଛି। ଏହା ସହ ଗତ ଏକ ବର୍ଷ ମଧ୍ୟରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍‌ରେ ମୃତ୍ୟୁ ଘଟିଛି। ସେଥିରୁ ୮ ଜଣ ଆତ୍ମହତ୍ୟା କରିଥିବା ବେଳେ ୩୯ ଜଣ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି ନେଇ ଏହି ସମସ୍ତ ତଥ୍ୟ ବିଧାନସଭାରେ ଆସିବା ପରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *