Sat. Feb 21st, 2026

ନ୍ୟୁଜ ଡେକ୍ସ : ସେଲିବ୍ରିଟି ମାଷ୍ଟରସେଫ୍‌ର ପ୍ରଥମ ସଂସ୍କରଣ ଜିତିବା ପରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି ଲୋକପ୍ରିୟ ଟିଭି ଅଭିନେତା ଗୌରବ ଖାନ୍ନା। ବିଗ୍ ବସ୍ ରିଆଲିଟି ଶୋ’ର ଗ୍ରାଣ୍ଡ ଫିନାଲେରେ ସେ ବିଜେତା ହୋଇ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଜିତିଛନ୍ତି।ଫାଇନାଲ୍ ରାଉଣ୍ଡରେ ଗୌରବ ଖାନ୍ନା ଅନ୍ୟ ମୁଖ୍ୟ ପ୍ରତିଯୋଗୀ ଫରହାନା ଭଟ୍ଟ, ତାନ୍ୟା ମିତ୍ତଲ, ପ୍ରଣିତ ମୋରେ ଏବଂ ଅମାଲ୍ ମଲ୍ଲିକଙ୍କୁ ପଛରେ ପକାଇ ବିଜୟ ହାସଲ କରିଥିଲେ।

ଶୋ’ର ସଞ୍ଚାଳକ ଓ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ମଞ୍ଚରେ ଗୌରବଙ୍କୁ ବିଜେତା ଭାବେ ଘୋଷଣା କରିବା ସମୟରେ ଦର୍ଶକମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଦେଇଥିଲା।ନିଜ ସ୍ଥିର ସ୍ୱଭାବ ଓ ଖେଳ ପାଇଁ ପରିଚିତ ଗୌରବ ଖାନ୍ନା କନଫେଟି ବର୍ଷା ମଧ୍ୟରେ ଟ୍ରଫି ହାତକୁ ନେଇ ଆଶ୍ଚର୍ୟ ଓ ଖୁସିରେ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି ଅବସରରେ ଗୌରବଙ୍କ ପରିବାର ସମସ୍ତେ ମଞ୍ଚରେ ଉପସ୍ଥିତ ଥିଲେ।ଫରହାନା ଭଟ୍ଟ ପ୍ରଥମ ରନର୍ସ-ଅପ୍ ହୋଇଥିବା ବେଳେ ପ୍ରଣିତ ମୋରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଅନେକ ଦର୍ଶକ ଫରହାନାଙ୍କ ଖେଳକୁ ପ୍ରଶଂସା କରି ତାଙ୍କୁ ବିଜେତା ଭାବେ ଦେଖିବାକୁ ଆଶା କରୁଥିଲେ।

ତଥାପି, ଭୋଟିଂରେ ଗୌରବ ବିଜୟୀ ହୋଇ ଟ୍ରଫି ହାତେଇଥିଲେ। ଫାଇନାଲ୍ ପରେ ଗୌରବ ଖାନ୍ନା ସ୍ୱୀକାର କରିଥିଲେ ଯେ ସେ ଶେଷ ମୁହୂର୍ତ୍ତରେ ନର୍ଭସ ଥିଲେ, କିନ୍ତୁ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ସମର୍ଥନ ଓ ଭୋଟ ତାଙ୍କୁ ବିଜୟୀ କରାଇଛି। ସେଲିବ୍ରିଟି ମାଷ୍ଟରସେଫ୍ ପରେ ବିଗ୍ ବସ୍ ଟ୍ରଫି ଜିତି ଗୌରବ ଖାନ୍ନା ତାଙ୍କ କେରିୟରରେ ଆଉ ଏକ ସୁନା ଅଧ୍ୟାୟ ଯୋଡ଼ିଛନ୍ତି।

Leave a Reply

Your email address will not be published. Required fields are marked *