ନ୍ୟୁଜ ଡେକ୍ସ : ୨୦୨୫ ବର୍ଷଟି ଭାରତର ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଭାବେ ଲେଖା ହୋଇ ରହିବ। ଧାର୍ମିକ, ସାମରିକ, ରାଜନୈତିକ, ଖେଳ, ଅର୍ଥନୀତି ଓ ସାମାଜିକ କ୍ଷେତ୍ର ସବୁଠି ଏହି ବର୍ଷ ଦେଶ ଦେଖିଛି ଗୌରବ, ସଫଳତା ସହିତ ସଙ୍କଟ ଓ ସଂଘର୍ଷର ଅନୁଭୂତି।
ବର୍ଷର ଆରମ୍ଭରେ ୨୦୨୫ କୁମ୍ଭମେଳା ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଏକତାର ଭବ୍ୟ ପ୍ରତୀକ ଭାବେ ସାରା ବିଶ୍ୱର ଆକର୍ଷଣ କେନ୍ଦ୍ର ହୋଇଥିଲା। କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ଏହି ମେଳାକୁ ଐତିହାସିକ ମାନ ଦେଇଥିଲା। ସେହି ସମୟରେ ପେହେଲଗାମ ଟ୍ରେଜେଡି ଦେଶକୁ ଦୁଃଖିତ କରିଥିଲା, ଯାହା ଆତଙ୍କବାଦ ବିରୋଧରେ ଆଉ ଏକ ସକ୍ତ ପଦକ୍ଷେପର ଆବଶ୍ୟକତାକୁ ଉଜାଗର କରିଥିଲା।
ଏହାର ପରିଣାମ ସ୍ୱରୂପ ‘ଅପରେସନ ସିନ୍ଦୂର’ ଆରମ୍ଭ ହୋଇ ଭାରତୀୟ ସେନାର ସାହସ ଓ କୌଶଳକୁ ପୁଣିଥରେ ପ୍ରମାଣ କରିଥିଲା। ଏହି ଅଭିଯାନରେ ଦୁଇ ଭାରତୀୟ ମହିଳା ଅଧିକାରୀ ସୋଫିଆ କୁରେସି ଓ ଭୌମିକ ଶିଂହଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଶର ନାରୀଶକ୍ତିକୁ ନୂଆ ଉଚ୍ଚତା ଦେଇଥିଲା।
ଅନ୍ୟପଟେ, ୨୦୨୫ ରେ କିଛି ଦୁଃଖଦ ଘଟଣା ମଧ୍ୟ ଦେଶକୁ ଶୋକାକୁଳ କରିଥିଲା। ଗୁଜୁରାଟର ବିମାନ ଦୁର୍ଘଟଣା, ଉତ୍ତରାଖଣ୍ଡର ଭୂସ୍ଖଳନ ଓ ଦିଲ୍ଲୀ ବୋମ୍ ବ୍ଲାଷ୍ଟ ମାନବ ଜୀବନ ହାନି ସହ ଗଭୀର ଚିନ୍ତା ସୃଷ୍ଟି କରିଥିଲା । ଏହା ସହିତ, ଦୀର୍ଘ ୧୦୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ କଟକର ଦୁର୍ଗା ଭସାଣୀ ସମୟରେ ଜାତିଗତ ଦଙ୍ଗା ଘଟିବା ଓଡ଼ିଶା ପାଇଁ ଏକ ଦୁଃଖଦ ଓ ଚିନ୍ତାଜନକ ଅଧ୍ୟାୟ ମଧ୍ୟ ସୃଷ୍ଟି ହୋଇଯାଇଛି ।
ରାଜନୀତିରେ ବିହାର ନିର୍ବାଚନ ଓ SIRକୁ ନେଇ ରାଜନୈତିକ ତର୍କ–ବିତର୍କ ଜୋର ଧରିଛି। ଏହା ସହିତ ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ସମ୍ବର୍ଦ୍ଧନା ହେବା ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇଥିଲା। ବିଧାୟକଙ୍କ ଦରମା ବୃଦ୍ଧି ମାମଲାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରି ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା।
ଖେଳ କ୍ଷେତ୍ରରେ ଆଇପିଏଲ୍ ମ୍ୟାଚ୍ ଗୁଡ଼ିକ ଦର୍ଶକଙ୍କୁ ଭରପୂର ରୋମାଞ୍ଚ କରିଛି। ସବୁଠାରୁ ବଡ଼ ସଫଳତା ଥିଲା ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ୱର୍ଲ୍ଡକପ୍ ଜିତିବା। ଏହି ବିଜୟ ଦେଶର କୋଟି କୋଟି ମହିଳାଙ୍କୁ ପ୍ରେରଣା ଦେଇଛି।
ବିଜ୍ଞାନ ଓ ଅନ୍ତରିକ୍ଷ କ୍ଷେତ୍ରରେ ଶୁଭ୍ରାଂଶୁ ଶୁକ୍ଳାଙ୍କ ପ୍ରଥମ ସଫଳ ଏକ୍ସିମୋ ମିସନ ଯାତ୍ରା ଭାରତକୁ ଅନ୍ତରିକ୍ଷ ଶକ୍ତି ଭାବେ ଆଉ ଏକ ପାଦ ଆଗକୁ ନେଇଛି ।ଅର୍ଥନୀତି କ୍ଷେତ୍ରରେ ୨୦୨୫ ଭାରତ ପାଇଁ ଗୌରବମୟ ହୋଇଛି। ବିଶ୍ୱ ଅର୍ଥନୀତିରେ ଭାରତ ତୃତୀୟ ସ୍ଥାନ ଅଧିକାର କରି ଏକ ନୂଆ ମାଇଲଷ୍ଟନ ସୃଷ୍ଟି କରିଛି। ସଂସ୍କୃତି ଓ ସୌନ୍ଦର୍ଯ୍ୟ କ୍ଷେତ୍ରରେ ମିସ୍ ୟୁନିଭର୍ସ ମଣିକ ବିଶ୍ୱକର୍ମା ଭାରତର ନାମକୁ ବିଶ୍ୱମଞ୍ଚରେ ଉଜ୍ଜ୍ୱଳ କରିଛି ।
ଓଡ଼ିଶା ପାଇଁ ମଧ୍ୟ ୨୦୨୫ ଥିଲା ସଫଳତାର ବର୍ଷ। ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ନିଜର କଳା ଓ ପରମ୍ପରାକୁ ବିଶ୍ୱଦରବାରରେ ପ୍ରତିଷ୍ଠା ଲାଭ କରିଛି ।
ସେହିପରି, ବର୍ଷ ଶେଷରେ ଜନସାଧାରଣଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି ୨୦୨୫ କୁ ସଫଳତା, ସାହସ ଓ ଆତ୍ମନିର୍ଭରତାର ବର୍ଷ ବୋଲି ମନେ କରୁଥିବାବେଳେ, କେହି କେହି ଦୁର୍ଘଟଣା ଓ ସାମାଜିକ ଅଶାନ୍ତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସମଗ୍ର ଭାବେ ୨୦୨୫ ଭାରତ ପାଇଁ ଏକ ଶିକ୍ଷା, ସଂଘର୍ଷ ଓ ସଫଳତାର ସମନ୍ୱୟ—ଯାହା ଆଗାମୀ ଦିନରେ ଦେଶକୁ ଆଉ ଦୃଢ଼ ଓ ସଚେତନ କରିବ ବୋଲି ଆଶା କରାଯାଉଛି।

