ନ୍ୟୁଜ ଡେକ୍ସ : ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପବିତ୍ର ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ଏହି ପରମ୍ପରା ଦୀର୍ଘ ଏକ ମାସ ଧରି, ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଆରମ୍ଭ ହୋଇଥାଏ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।
ପହିଲି ଭୋଗ ନୀତି ସମୟରେ ରାତି ୨ଟାରେ ଶ୍ରୀମନ୍ଦିରର ଦ୍ୱାର ଖୋଲାଯାଇ ଭିତରଶୋଧ, ମଙ୍ଗଳଆଳତି, ରୋଷହୋମ, ମଇଲମ, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ସମ୍ପନ୍ନ ହେବା ପରେ ପହିଲି ଭୋଗ ଏବଂ ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହୋଇଥିଲା।ପହିଲି ଭୋଗରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ଲାଗି ହୋଇଥାଏ। ଏଥିରେ ବଡ଼ଝିଲି, ବଡ଼ବଡ଼ା, କାକରା, ଅମାଲୁ, ଝିଲି, ଏଣ୍ଡୁରି, ଲଡୁ, ବଡ଼ି ଓ ଖଇରଚୂଳ ପରି ନାନା ପ୍ରକାର ଭୋଗ ସାମିଲ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ଦ୍ୱାପର ଯୁଗରେ ମା’ ଯଶୋଦା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ପହିଲି ଭୋଗ ଖୁଆଇଥିଲେ।
ସେହି ପରମ୍ପରାର ସ୍ମୃତି ସ୍ୱରୂପ ଆଜିଯାଏ ଏହି ନୀତି ଚଳିଆସୁଛି। ଏହା ମା’ ଯଶୋଦାଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନିର୍ମଳ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଏ।ଅନ୍ୟପଟେ, ପରମ୍ପରା ଅନୁଯାୟୀ ପୌଷ ମାସରେ ମା’ ଲକ୍ଷ୍ମୀ ଏକ ମାସ ପାଇଁ ନିଜ ବାପଘରେ ବାସ କରନ୍ତି। ଓଡ଼ିଆ ସଂସ୍କୃତିରେ ଏହି ସମୟରେ ବୋହୂ ନିଜ ବାପଘରକୁ ଯିବାର ଚଳଣୀ ରହିଥିବାରୁ, ଶ୍ରୀମନ୍ଦିରରେ ମଧ୍ୟ ଏହି ପରମ୍ପରାକୁ ଗଭୀର ଆସ୍ଥା ସହ ପାଳନ କରାଯାଏ।

