ନ୍ୟୁଜ ଡେକ୍ସ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ଚତୁର୍ଥ ମ୍ୟାଚ୍ ଆଜି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଥିବାରୁ ଆଜିର ମ୍ୟାଚ୍ ଜିତି ସିରିଜ୍ ନିଜ ନାମରେ କରିବାକୁ ଆୟୋଜକ ଦଳ ଲକ୍ଷ୍ୟ ରଖିଛି। ଅନ୍ୟପଟେ, ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ‘କର ବା ମର’ ସମାନ ହେବ।
ଆଉ ଏକ ପରାଜୟ ହେଲେ ସିରିଜ୍ ହାରିବା ନିଶ୍ଚିତ ହେବାରୁ ଭ୍ରମଣକାରୀ ଦଳ ସମସ୍ତ ଶକ୍ତି ଲଗାଇବ।ଭାରତୀୟ ଦଳ ପାଇଁ ଏହି ସିରିଜ୍ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଉପଅଧିନାୟକ ଶୁଭମନ ଗିଲ୍ ଏପର୍ଯ୍ୟନ୍ତ ବ୍ୟାଟ୍ ସହ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ଚତୁର୍ଥ ମ୍ୟାଚ୍ରେ ଦଳ ପରିଚାଳନା ଉଭୟଙ୍କଠାରୁ ବିସ୍ଫୋରକ ଇନିଂସ ଆଶା କରୁଛି। ଆସନ୍ତା ଟି୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସୂର୍ଯ୍ୟକୁମାର ଓ ଗିଲଙ୍କ ଫର୍ମକୁ ଫେରିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ, ଆକ୍ରମଣାତ୍ମକ ଓପନର ଅଭିଷେକ ଶର୍ମା ଓ ମଧ୍ୟକ୍ରମର ତିଲକ ବର୍ମା ଆଉ ଏକ ଭଲ ଇନିଂସ ଖେଳି ଦଳକୁ ସିରିଜ୍ ବିଜୟ ଦିଗରେ ଆଗେଇ ନେବାକୁ ଚେଷ୍ଟା କରିବେ। ବୋଲିଂ ବିଭାଗରେ ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ କୁଲଦୀପ ଯାଦବଙ୍କ ଉପରେ ଭାରତ ଅଧିକ ଭରସା ରଖିବ।
ଏହି ମ୍ୟାଚ୍ରେ ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରାହ ଖେଳିବାର ସମ୍ଭାବନା କମ୍ ରହିଛି।ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ୍ ଡି କକ୍, ରୀଜା ହେଣ୍ଡ୍ରିକ୍ସ ଓ ଏଡେନ୍ ମାର୍କରାମ ସବୁଠାରୁ ଭରସାଯୋଗ୍ୟ ଖେଳାଳି। ମୁଲାନପୁରରେ ପ୍ରଥମ ମ୍ୟାଚ୍ ହାରିବା ପରେ ଡି କକ୍ଙ୍କ ଧମାକାଦାର ଇନିଂସ ଆଫ୍ରିକୀୟ ଦଳକୁ ସିରିଜ୍ରେ ଫେରାଇ ଆଣିଥିଲା। ସେହିପରି ଧର୍ମଶାଳାରେ ତୃତୀୟ ମ୍ୟାଚ୍ରେ ଏଡେନ୍ ମାର୍କରାମ ଏକ ଚମତ୍କାର ଅର୍ଦ୍ଧଶତକ କରି ଦଳକୁ ଶକ୍ତି ଦେଇଥିଲେ। ସମଗ୍ର ଭାବେ, ଲକ୍ଷ୍ନୌରେ ଦର୍ଶକମାନେ ଏକ ହାଇ-ଭୋଲଟେଜ୍ ଓ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି।

